ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତର ଆଇନ୍ ବିଭାଗରେ ଜାତୀୟସ୍ତରୀୟ କର୍ମଶାଳା

ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତର ଆଇନ୍ ବିଭାଗ ତରଫରୁ ଜୁମ୍ ଆପ୍ ମାଧ୍ୟମରେ ଅନ୍‌ଲାଇନ୍‌ରେ (Force Maieure Vis-a-Vis Covid 19) ବିଷୟକ ନେଇ ଏକ ଜାତୀୟ ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳା ମୁଖ୍ୟବକ୍ତା ଭାବରେ ଜାଭିୟର୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ, ଜାମ୍‌ସେଦପୁରର, ଆଇନ୍ ବିଭାଗର ବରିଷ୍ଠ ପ୍ରଫେସର ଡ. ପ୍ରମୋଦ କୁମାର ପାଢ଼ି ବିଶେଷ ବକ୍ତାଭାବେ ଯୋଗ ଦେଇଥିଲେ ।

ଏହି କର୍ମଶାଳାରେ ସ୍ନାତକୋତର ଆଇନ୍ ବିଭାଗର ମୁଖ୍ୟ ଡ. ମନୋଜ କୁମାର ସାଡୁଆଳ, ଆସିଷ୍ଟାଂଟ ପ୍ରଫେସର ଡ. ଜ୍ଞାନେନ୍ଦ୍ର କୁମାର ସାହୁ, ଅଧ୍ୟାପିକା ଡ. ଝରାଶ୍ରୀ ପାଇକରାଏ, ଅଭିପ୍ସା ମହାନ୍ତି, ତନ୍ମୟ ପଟ୍ଟନାୟକ ଅନ୍‌ଲାଇନ୍ ମାଧ୍ୟମରେ ଯୋଗ ଦେଇଥିଲେ ।

କର୍ମଶାଳା ଆରମ୍ଭରେ ଡ. ଝରାଶ୍ରୀ ପାଇକରାୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସ୍ନାତକୋତର ଆଇନ୍ ବିଭାଗ ମୁଖ୍ୟ ଡ. ମନୋଜ କୁମାର ସାଡୁଆଳ କର୍ମଶାଳା ବିଷୟରେ ସୂଚନା ଦେବା ସହ ସ୍ୱାଗତ ଅଭିଭାଷଣ ଓ କର୍ମଶାଳାର ଏକମାତ୍ର ଓ ବିଶେଷ ଅତିଥି ପ୍ରଫେସର ଡ. ପ୍ରମୋଦ କୁମାର ପାଢ଼ିଙ୍କ ବିଷୟରେ ପରିଚୟ ପ୍ରଦାନ କରିଥିଲେ । ସେହିପରି ପ୍ରଫେସର ପାଢ଼ି ନିଜର ସ୍ୱତନ୍ତ୍ର ଢ଼ଙ୍ଗରେ ପି.ପି.ଟି ମାଧ୍ୟମରେ ଖୁବ୍ ଆକର୍ଷଣର ସହିତ କର୍ମଶାଳାରେ ଆଇନ୍ ଛାତ୍ରଛାତ୍ରୀ, ଆଇନ୍ ଶିକ୍ଷକ, ଗବେଷକ, ସମାଜସେବୀ ଓ ବିଭିନ୍ନ ବିଭାଗରୁ କର୍ମଶାଳାରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କୁ ଦୀର୍ଘ ଏକ ଘଂଟା ଧରି ବାନ୍ଧି ରଖିଥିଲେ । ସେ ଅନେକ ସୁନ୍ଦର ଓ ଚିତାକର୍ଷକ ଉଦାହରଣ ମାଧ୍ୟମରେ କଂଟ୍ରାକ ଆଇନ୍‌, ଫୋର୍ସ ମେଜର, କୋଭିଡ-୧୯ ପ୍ରଭାବ, ସମ୍ପର୍କ ଓ ଏହାର ଆଇନ୍‌ଗତ ଦିଗ ଉପରେ ଆଲୋଚନା କରିଥିଲେ ।

ଶେଷରେ ପ୍ରଶ୍ନପତ୍ର ଆଲୋଚନା ଓ ଅନୁଷ୍ଠାନର ଆସିଷ୍ଟାଂଟ ପ୍ରଫେସର ଡ. ଜ୍ଞାନେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ଉତ୍କଳ ବିଶ୍ୱବିଦ୍ୟାଳୟ ବ୍ୟତିତ ଓଡ଼ିଶାର ଅନ୍ୟ ଆଇନ୍ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଗବେଷକ, ବିଶେଷ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଅଧ୍ୟାପିକା ଡ. ଝରାଶ୍ରୀ ପାଇକରାୟ କାର୍ଯ୍ୟକ୍ରମକୁ ପରିଚାଳନା ଓ ତଦାରଖ କରିଥିଲେ ।