ଶୌଚାଳୟ ନିର୍ମାଣରେ ମହାଦୁର୍ନୀତି ପ୍ରସଙ୍ଗ : ଭିଜିଲାନ୍ସ ଓ ଜିଲ୍ଲାପାଳ ସ୍ତରରେ ତଦନ୍ତ ଦାବୀ କଲେ ସିଦ୍ଧାର୍ଥ

ଖଣ୍ଡପଡା, 24/07: ଗାଁ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ସ୍ୱଚ୍ଛ ଭାରତ ମିଶନ ଜରିଆରେ ପ୍ରତିଘରେ ଶୌଚାଳୟ ନିର୍ମାଣ ପାଇଁ ଯୋଜନା କରାଯାଇଛି |ପାଇଖାନା ତିଆରି ନିମନ୍ତେ ପ୍ରତି ହିତାଧିକାରୀଙ୍କୁ ବାର ହଜାର ଟଙ୍କା ଲେଖାଏଁ ଅନୁଦାନ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି | ତେବେ କେତେକ ଦୁର୍ନୀତିଖୋର ଓ ଅସାଧୁ ସରକାରୀ କର୍ମଚାରୀଙ୍କ ଯୋଗୁଁ ଏହି ଯୋଜନା ବାଟବଣା ହେବାରେ ଲାଗିଛି | ଆଉଟସୋର୍ସିଙ୍ଗ ସଂସ୍ଥାକୁ ହାତକରି ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ କୋଟି କୋଟି ଟଙ୍କା ବାଟମାରଣ କରୁଥିବା ଅଭିଯୋଗ ଉଠୁଥିବା ବେଳେ ଏହାର ଏକ ନିଶ୍ଚକ ଉଦାହରଣ ନୟାଗଡ ଜିଲ୍ଲା ଖଣ୍ଡପଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖଣ୍ଡପଡା ବ୍ଲକର ଶାଳଝରିଆ ପଂଚାୟତରେ ଦେଖିବାକୁ ମିଳିଛି |

ଏଠାରେ କେଉଁଠି ହିତାଧିକାରୀଙ୍କ ଘରେ ପାଇଖାନା ନଥାଇ କାଗଜପତ୍ରରେ ବିଲ ହୋଇଛି ତ ପୁଣି କେଉଁଠି ଜଣେ ହିତାଧିକାରୀଙ୍କ ନାମକୁ ଏକାଧିକ ଥର ଚଂଚକତା କରି ବିଭାଗୀୟ ଯନ୍ତ୍ରୀ ବାର ହଜାର ଟଙ୍କା ଲେଖାଏଁ ଉଠାଇ ନେଇଥିବାର ଅଭିଯୋଗ ହୋଇଛି |

ଏହି ମହାଦୁର୍ନୀତିର ଭିଜିଲାନ୍ସ ଓ ଜିଲ୍ଲାପାଳ ସ୍ତରୀୟ ତଦନ୍ତ ଦାବୀ କରିଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କାରିଣୀର ସଦସ୍ୟ ସିଦ୍ଧାର୍ଥ ଶେଖର ସିଂହ |

ସୂଚନାଅନୁସାରେ 2019-20 ଆର୍ଥିକ ବର୍ଷ ନିମନ୍ତେ ଖଣ୍ଡପଡା ବ୍ଲକକୁ ସ୍ୱଚ୍ଛ ଭାରତ ମିଶନରେ ମୋଟ ନଅ ହଜାର ଶହେ ତେତିଶଟି ପାଇଖାନା ନିର୍ମାଣ କରାଯିବାର ଯୋଜନା କରାଯାଇଥିଲା |ଏହି ପାଇଖାନା ନିର୍ମାଣ ନିମନ୍ତେ ତେୟାଳିଶିଟି ଆଉଟସୋର୍ସିଙ୍ଗ ସଂସ୍ଥା, ଡାଟା ଏଣ୍ଟ୍ରି ଅପରେଟର ଓ ବିଭାଗୀୟ ଯନ୍ତ୍ରୀଙ୍କ ମିଳିତ ମସୁଧାରେ ପାଇଖାନା ନିର୍ମାଣ ନାଁରେ ବ୍ୟାପକ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି |

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଶାଳଝରିଆ ଗାଁର ଗୋପାଳ ବେହେରା ସ୍ୱଚ୍ଛ ଭାରତ ମିଶନ ଜରିଆରେ ଘରେ ଗୋଟିଏ ପାଇଖାନା ନିର୍ମାଣ କରିଥିବା ବେଳେ ତାଙ୍କ ନାମକୁ ପୁନଃ ଚଂଚକତା କରି ବିଭାଗୀୟ ଯନ୍ତ୍ରୀ ତାଙ୍କ ନାମରେ ଆଉ ଏକ ବିଲ ଉଠାଇ ନେଇଥିବା ଜଣାପଡିଛି |
ସେହିଭଳି ସେହି ଗାଁର ତୀଳୋତମା ପାଢ଼ୀ ଓ ଶ୍ରୀଧର ପାଢ଼ୀ ସ୍ୱାମୀ ସ୍ତ୍ରୀ ହୋଇଥିଲେହେଁ ଗୋଟିଏ ପାଇଖାନା ବାବଦକୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ନାମରେ ପୃଥକ ପୃଥକ ଭାବେ ଦୁଇଟି ବିଲ ଉଠାଯାଇଥିବା ଦେଖିବାକୁ ମିଳିଛି |

ସେହିଭଳି ସମ୍ପୃକ୍ତ ଗାଁର ଗୟା ବେହେରା କେରଳରେ ଦାଦନ ଶ୍ରମିକଭାବେ କାମ କରୁଥିବାବେଳେ ତାଙ୍କ ଘରେ କୌଣସି ପାଇଖାନା ନଥାଇ ତାଙ୍କ ଅଜାଣତରେ କେହି ବିଲ ଉଠାଇ ନେଇଥିବା ସେ ଖଣ୍ଡପଡା ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି |

ସେହିଭଳି ଭାବେ ଗାଁର ହାଡୁ ମହାନ୍ତି, ଆଶାମଣି ଶୁକ୍ଳ, ବଳଭଦ୍ର ଲେଙ୍କା, ଜୟ ବେହେରା, ଲକ୍ଷ୍ମୀଧର ପଣ୍ଡା, ମନୋଜ କୁମାର ପଣ୍ଡା, ଶଙ୍କର ପତି, ସୁକାନ୍ତ ଲେଙ୍କା ଓ ଉଦୟନାଥ ପତି ପ୍ରମୁଖଙ୍କ ପାଇଖାନାନଥାଇ ତାଙ୍କ ଅଜାଣତରେ ପାଇଖାନାଥିବା କାଗଜପତ୍ରରେ ଦର୍ଶାଇ ବିଲ ଉଠାଯାଇଥିବା ଅଭିଯୋଗ ହୋଇଛି |ତେବେ ଏହି ସଂଖ୍ୟା ଏତିକିରେ ସୀମିତ ନୁହେଁ, ଖଣ୍ଡପଡା ବ୍ଲକରେ ଏଭଳି ଅନେକ ହିତାଧିକାରୀ ଅଛନ୍ତି, ଯେଉଁମାନଙ୍କ ଅଜାଣତରେ ସେମାନଙ୍କ ନାମରେ କାଗଜପତ୍ର ପାଇଖାନା ଥିବା ଦର୍ଶାଇ ବାରହଜାର ଟଙ୍କା ଲେଖାଏଁ ହଡପ କରାଯାଇଥିବା ଅଭିଯୋଗ ହୋଇଛି |

ଏହି ମହାଦୁର୍ନୀତି ସମ୍ପର୍କରେ ଖଣ୍ଡପଡାର ପୂର୍ବତନ ବିଧାୟକ କର୍ତ୍ତୃପକ୍ଷଙ୍କର ଦୃଷ୍ଟି ଆକର୍ଷଣ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ | ତେଣୁ ଏହାର ଭିଜିଲାନ୍ସ ଓ ଜିଲ୍ଲାପାଳସ୍ତରୀୟ ତଦନ୍ତ ଦାବୀ କରିଛନ୍ତି ସିଦ୍ଧାର୍ଥ ଶେଖର ସିଂହ | ଉପଯୁକ୍ତ ତଦନ୍ତ କରାଗଲେହିଁ ଏହି ମହାଘୋଟାଲାର ପର୍ଦାଫାଶ ହୋଇପାରିବ ବୋଲି ସେ ଦାବୀ କରିଛନ୍ତି |