ଖାଲି ପଡ଼ିଥିବା ଇନ୍ସପେକ୍ଟର, ଏସଆଇ ଓ ଏଏସଆଇ ପଦବୀ ପୂରଣ କରାଯାଉ

କଟକ : ସମସ୍ତଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ପୋଲିସ, ଏବେ ମାଗୁଛି ନିଜ ପାଇଁ ସୁରକ୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ଉପରେ ଆକ୍ରମଣକୁ ଦୃଷ୍ଟିରେ ରଖି ଆଜି ପୋଲିସ ଆସୋସିଏସନ ପକ୍ଷରୁ ସରକାରଙ୍କ ନିକଟରେ ଦାବି ରଖାଯାଇଛି । ଡାକ୍ତରମାନଙ୍କ ସୁରକ୍ଷା ପାଇଁ ଯେଭଳି ଆଇନ କରାଯାଇଛି, ସେମିତି ପୋଲିସ ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ ସଂଘ ଦାବି କରିଛି ।  ଆଉ ସୁରକ୍ଷିତ ନୁହେଁ ପୋଲିସ ।ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ଉପରେ ହେଉଛି ଆକ୍ରମଣ । ଶୁକ୍ରବାର ରାତିରେ ଜଳେଶ୍ବର-ବାଲିଆପାଳ ଢାବାରେ ନାବାଳକ କର୍ମଚାରୀର ମୃତ୍ୟୁ ଘଟଣାରେ ଯେଭଳି ଲୋକେ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ତାକୁ ନେଇ ଚିନ୍ତାରେ ପୋଲିସ ସଂଘ । ଡାକ୍ତରଙ୍କ ସୁରକ୍ଷା ପାଇଁ ଯେଉଁଭଳି ଆଇନ କରାଯାଇଛି ସେହିପରି ପୋଲିସ ପାଇଁ ମଧ୍ୟ ଆଇନ ବ୍ୟବସ୍ଥା କରିବାକୁ ଓଡ଼ିଶା ପୋଲିସ ଆସୋସିଏସନ ଦାବି କରିଛି। କଟକ ଓପା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ସଭାପତି ସତ୍ୟଜିତ ମିଶ୍ର  ଦାବି କରିଛିନ୍ତିଯେ, ରାଜ୍ୟରେ ଖାଲି ପଡିଥିବା ଇନ୍ସପେକ୍ଟର, ଏସଆଇ, ଏଏସଆଇ ପଦବୀ ତୁରନ୍ତ ପୂରଣ କରାଯାଉ । ସବୁ ଥାନାକୁ ଫୋର୍ସ ଯୋଗାଇ ଦିଆଯିବା ସହ ତଦନ୍ତ ଓ ଆଇନ ଶୃଙ୍ଖଳା ଡ୍ୟୁଟିକୁ ଅଧିକାରୀଙ୍କ ମଧ୍ୟରେ ଅଲଗା କରାଯାଉ । ସେପଟେ ବହୁ ଚର୍ଚିତ ବାଲିଆପାଳ ରାଜଧାନୀ ଢାବାରେ ନାବାଳକ କର୍ମଚାରୀ ମୃତ ଘଟଣାରେ ଭୁବନେଶ୍ବରରୁ ଏକ ଚାରି ଜଣିଆ HRPC ଦଳ ବାଲିଆପାଳ ଥାନାରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ପୂର୍ବତନ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କ ସହ ଢାବାର ଦୁଇ କର୍ମଚାରୀଙ୍କୁ ପଚରା ଉଚୁରା କରାଯାଇଛି। ଫେରାର ଥିବା ଢ଼ାବା ମାଲିକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ବାଲିଆପାଳ ଥାନାରେ ବସ୍ତା, ଜଳେଶ୍ବର ଏବଂ ସିଂଗଲା ଆଇଆଇସିଙ୍କ ସହ ଜଳେଶ୍ବର ଏସ୍‌ଡିପିଓ ଡେରା ପକାଇଛନ୍ତି।