କଣ୍ଟିଲୋରୁ ଗୋରୁ ବୋଝେଇ ଟ୍ରକ ଜବତ ମାମଲା କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ସିଦ୍ଧାର୍ଥ

By ସରୋଜ କୁମାର ଚୌଧୁରୀ 

ଖଣ୍ଡପଡା, ୨୬/୦୬ : ଖଣ୍ଡପଡ଼ା ବ୍ଲକ ବଡ଼ବାଣପୁର ନିକଟରୁ ଗୁରୁବାର  ବିଳମ୍ବିତ ରାତିରେ କଣ୍ଟିଲୋ ପୋଲିସ ଦ୍ୱାରା  ଗୋରୁ ଚୋରା ଚାଲାଣ ହେଉଥିବା ୮ଟି ଗାଡ଼ି ଜବତ ହେବାସହ  ଶତାଧିକ ଗୋରୁ ଉଦ୍ଧାର ହୋଇଥିବା ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି | ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧାର୍ଥ ଶେଖର ସିଂହ | ଏହା ପଛରେ ଏକ ଅନ୍ତରାଜ୍ୟ ରାକେଟ କାମକରୁଥିବା ସନ୍ଦେହ କରାଯାଉଥିବା ବେଳେ ସଠିକ ତଦନ୍ତ କରାଗଲେ ଘଟଣାର ପର୍ଦାଫାଶ ହୋଇପାରିବ ବୋଲି ସିଦ୍ଧାର୍ଥ କହିଛନ୍ତି | 

ଏହି ଘଟଣାରେ କଣ୍ଟିଲୋ ପୋଲିସକୁ ବଡଧରଣର ସଫଳତା ମିଳିଛି । ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଖଣ୍ଡପଡ଼ା ଥାନା ଅଧିନ କଣ୍ଟିଲୋ ଫାଣ୍ଡି ଅଞ୍ଚଳର ବଡ ବାଣପୁର ଗ୍ରାମ ନିକଟରେ ଥିବା ବାରଖୋଲ ଜଙ୍ଗଲରୁ ଗୋରୁ ବୋଝେଇ ଅବସ୍ଥାରେ ୭ଟି କଣ୍ଟେନର ଏବଂ ଗୋଟିଏ ମହେନ୍ଦ୍ରା ପିକପ୍ ଗାଡିକୁ ଜବତ କରାଯାଇଛି । 

ତେବେ ପୋଲିସର ଚଢ଼ାଉ ବେଳେ ଘଟଣାରେ  ସମ୍ପୃକ୍ତ  ଥିବା ମାଫିଆ ଏବଂ ଡ୍ରାଇଭର ଖସି ଯିବାରେ ସକ୍ଷମ ହୋଇଥିବା ବେଳେ କଣ୍ଟିଲୋ ପୋଲିସ ୨ଜଣକୁ ଗିରଫ କରିଛି । ଜବତ  ଗାଡିଗୁଡିକୁ କଣ୍ଟିଲୋ ଯାତ୍ରା ପଡିଆରେ ପୋଲିସ ରଖିଥିବା ବେଳେ  ଉଦ୍ଧାର ହୋଇଥିବା ଗୋରୁ ମାନଙ୍କୁ  ଗୋଶାଳା କୁ ପଠାଇ ଦିଆଯାଇଛି ।

ଜବତ ଗାଡ଼ି ଗୁଡିକର ନମ୍ବର : OR 07 L 0126 , OR 22 D 5594 , OR 01 K 5396 , OD 04 0099 , OR 09 G 5453 , WB 25 F 5505 , OR 09 G 8735 , OD 33 A 2270 ଖଣ୍ଡପଡା ଅଂଚଳରେ ବାରମ୍ବାର ଗୋରୁ ବୋଝେଇ ଗାଡି ଧରାପଡୁଥିବା ବେଳେ ଏହା ଏକ ସମ୍ବେଦନଶିଳ ଘଟଣାରେ ପରିଣତ ହେବାରେ ଲାଗିଛି | ତେଣୁ ଏହାର ଉପଯୁକ୍ତ ତଦନ୍ତ ଜରୁରୀ ବୋଲି ଦାବି କରିଛନ୍ତି ସିଦ୍ଧାର୍ଥ ଶେଖର ସିଂହ |