ଶିକ୍ଷା ଓ ଅନୁସନ୍ଧାନ ଭଳି ବିଶ୍ୱବିଦ୍ୟାଳୟ ଦ୍ୱାରା ହିଁ ସଶକ୍ତ ଭାରତ ଗଠନ ସମ୍ଭବ : ଡଃ ପୋଖରିୟାଲ

ନୂଆ ଶିକ୍ଷାନୀତିକୁ ନେଇ ସୋଆରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର, ୦୬/୦୧: ‘ଜୟ ଜବାନ ଜୟ କିଷାନ’ ଥିଲା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଆହ୍ୱାନ । ଏହା ସହିତ ‘ଜୟ ବିଜ୍ଞାନ’କୁ ଯୋଡିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ । ଆଉ ଏବେ ଏହି ଆହ୍ୱାନ ସହ ‘ଜୟ ଅନୁସନ୍ଧାନ’କୁ ଯୋଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନୁସନ୍ଧାନ ବିନା ଶିକ୍ଷା ସମ୍ଭବ ନୁହେଁ । ଏଭଳି ଦୁଇଟି ମହତ ଆହ୍ୱାନକୁ ନେଇ ଗଠିତ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନର ସଶକ୍ତ ଭାରତ ଗଠନରେ ସକ୍ରିୟ ଭୂମିକା ନେଇପାରିବେ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ୍ ନିଶାଙ୍କ ମତ ପ୍ରକାଶ କରିଛନ୍ତି ।


ସୋମବାର ସୋଆ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଥିବା ଡଃ ପୋଖରିୟାଲ୍ ପ୍ରଥମ ସୋଆ ଅଭିଭାଷଣ ରଖିବା ପ୍ରସଙ୍ଗରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡଃ ମନୋଜରଞ୍ଜନ ନାୟକଙ୍କ ଚିନ୍ତାଧାରା ଓ ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବାର ଶୈଳୀକୁ ଉଚ୍ଚ ପ୍ରଶଂସା କରିଥିଲେ ।

ଡଃ ପୋଖରିୟାଲ୍ କହିଥିଲେ ଯେ ଶିକ୍ଷା କ୍ଷେତ୍ରରେ ଭାରତ ହେଉଛି ସାରା ବିଶ୍ୱର ଗୁରୁ । ତକ୍ଷଶୀଳା ଓ ନାଳନ୍ଦାର ଉଦାହରଣ ଦେଇ ସେ କହିଥିଲେ ଶିକ୍ଷା କ୍ଷେତ୍ରରେ ଭାରତ ସହ କାହାର ତୁଳନା ନାହିଁ । ନୂଆ ଭାରତ ପାଇଁ ନୂଆ ଶିକ୍ଷା ନୀତିର ଆବଶ୍ୟକତା ରହିଛି । ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଖୁବ୍ ଆଗରେ ଅଛି ।

ଭାରତୀୟ ପରମ୍ପରା ହେଉଛି ‘ବସୁଧୈବ କୁଟୁମ୍ବକମ୍’ ଅର୍ଥାତ ପୁରା ସଂସାର ଆମ ପରିବାର । ପରିବାରରେ ଭଲ ପାଇବା ଥାଏ । ବଜାରରେ ବ୍ୟାପାର ହୁଏ । ଭାରତୀୟମାନେ ଅନ୍ୟର ଦୁଃଖରେ ଦୁଃଖୀ ହୋଇ ଅନ୍ୟର ସୁଖରେ ସୁଖୀ ହୋଇଥାନ୍ତି । ନୁଆ ଭାରତର ନୀତି ହେଉଛି ସ୍ୱଚ୍ଛ ଭାରତ, ସଶକ୍ତ ଭାରତ, ଶ୍ରେଷ୍ଠ ଭାରତ, ଏକ ଭାରତ ଏବଂ ସମୃଦ୍ଧ ଭାରତ ।

ଦୀର୍ଘ ୩ ଦଶନ୍ଧି ପରେ ନୂଆ ଶିକ୍ଷାନୀତି ପ୍ରଣୟନ ହେବାକୁ ଯାଇଥିବା ବେଳେ ଏହାର ଆନ୍ତର୍ଜାତୀୟ ଦୃଷ୍ଟିଭଙ୍ଗୀ ରହିଛି ବୋଲି ସେ କହିଥିଲେ । ମେକ୍ ଇନ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମକୁ ନେଇ ଭାରତ ଶିଖରକୁ ଯିବ । ଭାରତୀୟ ଶିକ୍ଷାନୀତି ପ୍ରଣୟନ ହେବା ପୂର୍ବରୁ ଦେଶବ୍ୟାପୀ ପରାମର୍ଶ ଗ୍ରହଣ କରାଯାଇଛି । ଶିକ୍ଷାନୀତି ପାଇଁ ବିଶ୍ୱ ସ୍ତରରେ ପରାମର୍ଶ ନିଆଯାଇଥିବା ବେଳେ ଜନସାଧାରଣଙ୍କ ମଧ୍ୟରୁ ୨.୨୫ ଲକ୍ଷ ପରାମର୍ଶ ବର୍ତମାନ ସୁଦ୍ଧା ମିଳିପାରିଛି । ବାରମ୍ବାର ତର୍ଜମା ପରେ ନୂତନ ଶିକ୍ଷାନୀତିର ଢ଼ାଂଚା ପ୍ରସ୍ତୁତ କରାଯାଇଛି । ତେଣୁ ଏହିସବୁ ପରାମର୍ଶକୁ ନେଇ ଖୁବ ଶୀଘ୍ର ନୂତନ ଶିକ୍ଷାନୀତି ପ୍ରଣୟନ ହେବ ବୋଲି ଡଃ ପୋଖରିୟାଲ୍ କହିଥିଲେ ।

ଡଃ ପୋଖରିୟାଲ୍ କହିଥିଲେ ଭାରତରେ ୧୦୦୦ ରୁ ଊଦ୍ଧ୍ୱର୍ ବିଶ୍ୱବିଦ୍ୟାଳୟ, ୪୫୦୦୦ ଡିଗ୍ରୀ କଲେଜ ଓ ୧୬ ଲକ୍ଷ ବିଦ୍ୟାଳୟ ରହିଥିବା ବେଳେ ୧କୋଟିରୁ ଅଧିକ ଅଧ୍ୟାପକ ଅଧ୍ୟାପିକା ଅଛନ୍ତି ଏବଂ ୩୩ କୋଟିରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏପରି ସ୍ଥଳେ ଯୁକ୍ତରାଷ୍ଟ୍ର ଆମେରିକାର ଜନସଂଖ୍ୟା ୩୨ କୋଟି ୮୮ ଲକ୍ଷ ଯାହାକି ଭାରତର ଯୁବପିଢ଼ିଙ୍କ ସଂଖ୍ୟା ଠାରୁ କମ୍ । ତେଣୁ ଭାରତର ବିକାଶ ଯୁବପିଢ଼ିଙ୍କ ହାତରେ ରହିଛି ବୋଲି ଡଃ ପୋଖରିୟାଲ୍ କହିଥିଲେ ।

କୃଷି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୋଆର ଉଲ୍ଲେଖନୀୟ କାର୍ଯ୍ୟ ଏବଂ ଗବେଷଣାକୁ ଉଚ୍ଚ ପ୍ରଶଂସା କରି ଡଃ ପୋଖରିୟାଲ୍ କହିଥିଲେ ଯେ ଶିକ୍ଷା ଓ ଅନୁସନ୍ଧାନ ଭଳି ବିଶ୍ୱବିଦ୍ୟାଳୟ ଦ୍ୱାରା ହିଁ ସଶକ୍ତ ଭାରତ ଗଠନ ହୋଇପାରିବ ।
ନୂତନ ଶିକ୍ଷାନୀତି ନେଇ ପ୍ରଥମ ସୋଆ ସିରିଜ୍ ଅଭିଭାଷଣ ପ୍ରଦାନ କରିବା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଡଃ ପୋଖରିୟାଲଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡଃ ମନୋଜରଞ୍ଜନ ନାୟକ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ମଂଚରେ କେନ୍ଦ୍ରମନ୍ତ୍ରୀ ସହିତ ସୋଆ କୁଳପତି ପ୍ରଫେସର ଆର୍.କେ. ଚୌହାନ୍ ଉପସ୍ଥିତ ଥିଲେ ।
ଏହି ଅବସରରେ ଡଃ ପୋଖରିୟାଲ୍ଙ୍କ ଦ୍ୱାରା ଲିଖିତ କିଛି ବଛା ବଛା ଗଳ୍ପକୁ ନେଇ ସଂକଳିତ ‘ସମୟର ଚିତ୍ରଶିଳ୍ପି’ ଶୀର୍ଷକ ପୁସ୍ତକଟି ଉନ୍ମୋଚିତ ହୋଇଥିଲା । ଏହି ସମସ୍ତ ଗଳ୍ପକୁ ସୋଆର ନିଦେ୍ର୍ଧଶକ ଡଃ ମହେନ୍ଦ୍ର ପ୍ରସାଦ ଓଡ଼ିଆରେ ଅନୁବାଦ କରିଛନ୍ତି । ପୁସ୍ତକ ଉନ୍ମୋଚନ ସମୟରେ ସାହିତି୍ୟକ ଡଃ ବିଭୁତି ପଟ୍ଟନାୟକ, ଡଃ ଗୋ÷ରହରି ଦାସ, ଡଃ ଯତିନ୍ଦ୍ର କୁମାର ନାୟକଙ୍କ ସମେତ ପୁସ୍ତକର ଅନୁବାଦକ ଡଃ ମହେନ୍ଦ୍ର ପ୍ରସାଦ, ପ୍ରମେୟର ସମ୍ପାଦକ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ଇଣ୍ଡିଆ ଟୁଡେର କନ୍ସଲଟିଙ୍ଗ୍ ଏଡିଟର୍ ଶ୍ରୀ ଅଜିତ୍ କୁମାର ଝା ଏବଂ ଡଃ ପୋଖରିୟାଲ୍ଙ୍କ ପରାମର୍ଶଦାତା ଶ୍ରୀ ରାଜେଶ ନାଥାନି ଉପସ୍ଥିତ ଥିଲେ ।

ସୋଆ ପରିଦର୍ଶନରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଡଃ ପୋଖରିୟାଲ୍ ଇନଷ୍ଟିଚିୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମଧ୍ୟ ବୁଲି ଦେଖିଥିଲେ । ସମ୍ ହସ୍ପିଟାଲର ଗ୍ୟାଷ୍ଟେ୍ରାଏନ୍ଟେରୋଲୋଜି ବିଭାଗ ଏବଂ ବର୍ନସ, ପ୍ଲାଷ୍ଟିକ୍ ଆଣ୍ଡ ରିକନ୍ଷ୍ଟ୍ରକ୍ଟିଭ୍ ସର୍ଜରୀ ବିଭାଗ ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି ନୂତନ ଭାବେ ନିର୍ମିତ ସମ୍ ଅଲ୍ଟିମେଟ୍ ମେଡିକେୟାରର ଏମରଜେନ୍ସି, ଟ୍ରମା ଆଇସିୟୁ ଓ ରେଡିଓଲୋଜି ବିଭାଗ ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ସମ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଏହି ଅବସରରେ ନୂତନ ପିଜି ହଷ୍ଟେଲ୍ ଏବଂ କନଭେନ୍ସନ୍ ସେଂଟରର ମଧ୍ୟ ଉଦ୍ଘାଟନ କରିଥିଲେ ଡଃ ପୋଖରିୟାଲ୍ । ଏଥି ସହିତ ସୋଆର ପ୍ରତିଷ୍ଠାତା ସଭାପତି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ସୋଆର ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଂଟ ଡିନ୍ ପ୍ରଫେସର ପି.କେ. ନନ୍ଦ ସୋଆ ସମ୍ପର୍କିତ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ସୋଆର ରିସର୍ଚ୍ଚ ସ୍କଲାର ଏବଂ ଆନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଡଃ ପୋଖରିୟାଲ୍ ଆଲୋଚନା କରି ବେଶ ଆନନ୍ଦ ପ୍ରକାଶ କରିଥିଲେ ।