ମିଡିଆ ଟାଇକୁନଙ୍କ ପାଇଁ ବିଜେଡି ମିଡିଆ ଟିମରେ ସ୍ଥାନ ନାହିଁ

ସେ ମିଡିଆ ଟାଇକୁନ୍, ନିଜର ଆଗଧାଡିର ସମ୍ବାଦ ପତ୍ର ଅଛି, ଟିଭି ଚ୍ୟାନେଲ୍ ଅଛି, ରେଡିଓ ବି ଅଛି । ଗଣମାଧ୍ୟମ ଜଗତରେ ତାଙ୍କର ବେଶ୍ ଦବଦବା ରହିଛି । ତେବେ ନିଜ ଦଳର ମିଡିଆ ଟିମରେ ତାଙ୍କ ପାଇଁ ସ୍ଥାନ ନାହିଁ ।

ଆମେ କହୁଛୁ ସାଂସଦରୁ ବିଧାୟକ ବନିଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନଙ୍କ କଥା । ନିକଟରେ ବିଜେଡିର ମିଡିଆ ଟିମ୍ ଘୋଷଣା ହୋଇଥିବା ବେଳେ ଏଥିରେ କିନ୍ତୁ ସବୁଠାରୁ ଅଧିକ ଭୋଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସୌମ୍ୟ ବାବୁଙ୍କ ନା ନାହିଁ ।

ତାଙ୍କ ଭଳି ଦକ୍ଷ ଲୋକଙ୍କୁ ମିଡିଆ କେଅର୍ଡିନେଟେର କିମ୍ବା ଜାତୀୟ ପ୍ରବକ୍ତା ଭାବେ ଦଳ ମନୋନିତ କରିପାରିଥାନ୍ତା । ତେବେ ନିକଟରେ ଲୋକସଭାର ଯୁଗ୍ମ ସଚିବ ପଦବୀରୁ ଅବସର ନେଇଥିବା ସତ୍ୟନାରାୟଣ ସାହୁଙ୍କୁ ଜାତୀୟ ପ୍ରବକ୍ତା କରାଗଲା । ତେବେ ସୌମ୍ୟ ବାବୁଙ୍କୁ ଏହି ଟିମରେ ସାମିଲ କରାଗଲା ନାହିଁ ।

ନଜର ପକାନ୍ତୁ ପ୍ରକାଶିତ ହୋଇଥିବା ବିଜେଡିର ମିଡିଆ ଟିମ୍ ଉପରେ ।

ସବୁଠୁ ରୋଚକ କଥା ହେଉଛି ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ବିଜେଡି ଟିମରେ ପ୍ରବକ୍ତା ଭାବେ ଇନ୍ ହୋଇଥିବା ବେଳେ ଇନ୍ ହୋଇପାରି ନାହାନ୍ତି ସୌମ୍ୟ ।

ସାଂସଦରୁ ବିଧାୟକ ହୋଇଥିବା ସୌମ୍ୟ ବାବୁଙ୍କୁ ମନ୍ତ୍ରୀପଦ ମିଳିଲା ନାହିଁ । କର୍ପୋରେସନ୍ର ଅଧ୍ୟକ୍ଷ କିମ୍ବା ଉପଦେଷ୍ଟା ପଦବୀ ମଧ୍ୟ ମିଳି ନଥିବା ବେଳେ ଏବେ ମିଡିଆ ଟିମ୍ରେ ମଧ୍ୟ ସେ ସାମିଲ ହୋଇପାରି ନାହାନ୍ତି ।

ଏସବୁ ଦେଖି ଚର୍ଚ୍ଚା ହେଉଛି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଅଣଦେଖା କରୁଛି କି?