ଅଦୃଶ୍ୟ ଶତ୍ରୁ ସହ ରାଜପରିବାର ର ଯୁଦ୍ଧ

ସାରା ବିଶ୍ୱବାସୀ ଏବେ ଅଦୃଶ୍ୟ ଶତ୍ରୁ ର ମୁକାବିଲା କରିବାରେ ତତ୍ପର କରୋନା ଭାଇରସ ଭଳି ଦୁଃସାଧ୍ୟ ବ୍ୟାଧି ରେ ଏବେ କବଳିତ ସମଗ୍ର ପୃଥିବୀ।
ଏଭଳି ଭୟାନକ ପରିସ୍ଥିତିର ସାମ୍ନା କରିବା ସହ ଏଥିରୁ ମୁକ୍ତି ପାଇବା ପାଇଁ ଭାରତ ଯୁଦ୍ଧକାଳୀନ ଭିତ୍ତି ରେ କାର୍ଯ୍ୟ କରୁଛି। ଓଡିଶା ସରକାରଙ୍କ ପଦକ୍ଷେପ ମଧ୍ୟ ବେଶ ପ୍ରଶଂସନୀୟ।

ଏଭଳି ପରିସ୍ଥିତିରେ ଏହି ଅଦୃଶ୍ୟ ଶତ୍ରୁ ସହ ଯୁଦ୍ଧ କରିବାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜପରିବାର ର ସଦସ୍ୟ ମାନେ। ଖୋଦ ପୁରୀ ଗଜପତି ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଶତ୍ରୁକୁ ମୁକାବିଲା କରିବା ଆରମ୍ଭ କରିଛନ୍ତି । ପୁରୀ ଗଜପତି ଏବଂ ତାଙ୍କ ପରିବାର କିଛି ମାସ ହେବ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଚାର ପ୍ରସାର ନିମନ୍ତେ ଆମେରିକା ଗସ୍ତରେ ଯାଇଥିବା ବେଳେ ଓଡିଶା ଫେରିବା ପରେ ସେ ଓ ତାଙ୍କ ପରିବାର ରାଜ୍ୟ ସରକାରଙ୍କ ପୋର୍ଟାଲ ରେ ପଂଜିକୃତ କରିବା ସହ ପରିବାର ସହ 14 ଦିନପାଇଁ ସଙ୍ଗରୋଧ (କ୍ୱାରାନଟାଇନ) ରେ ନିଜ ଘରେ ଅଛନ୍ତି । ଉଦ୍ଦେଶ୍ୟ ହେଉଛି କୋରାନା ଭଳି ରୋଗର ମୁକାବିଲା କରିବା ସହ ସାମାଜିକ ଦୂରତ୍ୱ ରଖି ଅନ୍ୟ ମାନଙ୍କୁ ମଧ୍ୟ ଏହି ରୋଗରୁ ବଞ୍ଚାଇବା।

କେବଳ ପୁରୀ ଗଜପତି ନୁହଁନ୍ତି ଦେବଗଡ଼ ର ରାଜା ତଥା ସମ୍ବଲପୁର ର ସାଂସଦ ନୀତେଶ ଗଙ୍ଗଦେବ ମଧ୍ୟ ଏହି ଅଦୃଶ୍ୟ ଶତ୍ରୁ ର ମୁକାବିଲା ଲାଗି ସଜବାଜ ଆରମ୍ଭ କରିଛନ୍ତି । ଦେବଗଡ଼ ରାଜାସାହେବ ଙ୍କ ସାନପୁଅ ବ୍ରିଟେନ ର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ରେ ପାଠ ପଢ଼ୁଥିବା ବେଳେ କରୋନା ଯୋଗୁଁ ଓଡିଶା ଫେରିଛନ୍ତି। ତେବେ ପୁଅ ଘରକୁ ଆସିବା ପରେ ନିୟମ ଓ ସୁରକ୍ଷା କୁ ଦୃଷ୍ଟିରେ ରଖି ନୀତେଶ ଓ ତାଙ୍କ ପରିବାର ଆଇଶୋଲେସନ ରେ ରହିବାର ନିଷ୍ପତି ନେଇଛନ୍ତି । ତାଙ୍କ ପରିବାର ଏବେ 14 ଦିନ କ୍ଵାରନ୍ଟାଇନ ରେ ରହିବେ ବୋଲି ଘୋଷଣା କରିଛନ୍ତି ନୀତେଶ ।

କେବଳ ଓଡ଼ିଶା ରାଜପରିବାର ନୁହନ୍ତି ଗୁୱାଲିଅର ର ସିନ୍ଧିଆ ରାଜପରିବାର ସଦସ୍ୟା ତଥା ରାଜସ୍ଥାନ ର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଓ ତାଙ୍କ ପୁଅ ତଥା ଢ଼ୋଲପୁର ରାଜପରିବାର ର ଯୁବରାଜ ଦୁଷ୍ୟନ୍ତ ସିଂହ ମଧ୍ୟ କୋରାନ ରୋଗକୁ ନେଇ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି । ଗାୟିକା କନିକା କପୂର ଯାଇଥିବା ଏକ ପାର୍ଟି ରେ ଯୋଗ ଦେଇଥିଲେ ଉଭୟ ବସୁନ୍ଧରା ଓ ଦୁଷ୍ୟନ୍ତ । ପରବର୍ତୀ ସମୟରେ ଲଣ୍ଡନ ରୁ ଫେରିଥିବା କନିକାଙ୍କ କରୋନା ରିପୋର୍ଟ ପସେଟିଭ ବାହାରିଥିଲା। ଏହାହିଁ ଚିନ୍ତାର କାରଣ ପାଲଟିଥିଲା ଏହି ରାଜପରିବାରର ସଦସ୍ୟଙ୍କ ପାଇଁ । ତେବେ ଉଭୟଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। କିନ୍ତୁ ବସୁନ୍ଧରା ଓ ଦୁଷ୍ୟନ୍ତ ଏବେ 15 ଦିନ ଲାଗି ନିର୍ବାସନ ଅର୍ଥାତ ଆଇସୋଲେସନ ରେ ନିଜକୁ ରଖିଛନ୍ତି ।

କେବଳ ରାଜପରିବାର ନୁହନ୍ତି ଅନେକ ରାଜନେତା, ପ୍ରଶାସନିକ ଅଧିକାରୀ, ଅଭିନେତା, ଅଭିନେତ୍ରୀ ମଧ୍ୟ ଏବେ କରୋନା ଭାଇରସ କବଳରୁ ନିଜକୁ ରକ୍ଷା କରିବା ଲାଗି ସଙ୍ଗରୋଧ ଓ ନିର୍ବାସନ ରେ ଅଛନ୍ତି । ଏହା ସବୁ ଜନସାଧାରଣଙ୍କ ଲାଗି ମଧ୍ୟ ଜରୁରୀ।ଏହାଦ୍ୱାରାହିଁ ଆମେ ଏହି ଅଦୃଶ୍ୟ ଶତ୍ରୁର ମୁକାବିଲା କରିପାରିବା ।