ଖଣ୍ଡପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ


ଖଣ୍ଡପଡ଼ା ସହରର ରଥଗଡା ଛକ ନିକଟସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ରବିବାର ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି। ନୂତନ ଭାବେ ଗଠିତ ହୋଇଥିବା ଖଣ୍ଡପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ ଯୋଗ ଦେଇ ନବ ଗଠିତ ସଂଘ କୁ ଶୁଭେଚ୍ଛା ଜଣାଇବା ସହ ସମାଜ ଗଠନ ଓ ଉନ୍ନତିରେ ସାମ୍ବାଦିକ ମାନଙ୍କର ଭୂମିକା ଓ ବର୍ତ୍ତମାନ ପରିପ୍ରେକ୍ଷୀରେ ସେମାନଙ୍କ ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ ।

ନିଜ ସାମ୍ବାଦିକ ଜୀବନର ସାତ ବର୍ଷର ଅନୁଭୂତି ବଖାଣି ଶ୍ରୀ ସିଂହ କହିଥିଲେ ଯେ ସେ ଦୈନିକ ଇଂରାଜୀ ସମ୍ବାଦପତ୍ର ଏସିଆନ ଏଜ ଓ ଇଣ୍ଡିଆନ୍ ଏକ୍ସପ୍ରେସରେ ସାମ୍ବାଦିକ ଭାବେ କାର୍ଯ୍ୟ କରିବା ସମୟରେ ସମ୍ବାଦ ସଂଗ୍ରହ ଏବଂ ଏହା ସହ ଜଡିତ ବିଭିନ୍ନ ସମସ୍ୟା ସମ୍ପର୍କରେ କହିଥିଲେ । ସେହିପରି ସେ ବିଧାୟକ ଥିବା ସମୟରେ ସାମ୍ବାଦିକଙ୍କ ପେନସନ ସମ୍ପର୍କରେ ମଧ୍ଯ ଦାବି ଉଠାଇଥିବା ସୂଚନା ଦେଇଥିଲେ । ବର୍ତ୍ତମାନ ସାମ୍ବାଦିକମାନେ କେତେବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି ତ କେତେବେଳେ ତାଙ୍କୁ ବିଭିନ୍ନ ନିର୍ଯ୍ୟାତନା ମଧ୍ୟ ଦିଅଯାଉଛି ।ତେଣୁ ସେମାନଙ୍କ ଜୀବନ, ପରିବାର ଏବଂ ଚାକିରୀର ସୁରକ୍ଷା ଦିଗରେ ସରକାର ସଚେତନ ହେବା ଉଚିତ ଏବଂ ଏ ଦିଗରେ ନୂତନ ଆଇନ୍ ଲାଗୁ କରିବା ନେଇ ଶ୍ରୀ ସିଂହ ଦାବୀ କରିଥିଲେ ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଆଇନଜୀବି ଶ୍ରୀ ବିକ୍ରମ କେଶରୀ ଦେଓ ଯୋଗ ଦେଇ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ।

ସାମ୍ବାଦିକଙ୍କ କର୍ମମୟ ଜୀବନ, ସଂଘର୍ଷ ଓ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଅତିଥି ଓ ଉପସ୍ଥିତ ସାମ୍ବାଦିକମାନେ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରାରମ୍ଭରେ ସଂଘର ସଭାପତି ଶ୍ରୀ ଚିତ୍ତରଞ୍ଜନ ମିଶ୍ର ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ପରିପ୍ରେକ୍ଷୀରେ ଅତିଥି ମାନଙ୍କ ଦ୍ଵାରା ଛେନାପୋଡ଼ କଟା ଯାଇ ଖଣ୍ଡପଡ଼ା ସାମ୍ବାଦିକ ସଂଘର ଶୁଭ ଉଦଘାଟନ କରାଯାଇଥିଲା।

ଶ୍ରୀ ମିଶ୍ର ଏହି ଅବସରରେ ପ୍ରତିବର୍ଷ ଓଡିଆ ସାମ୍ବାଦିକ ଦିବସକୁ ଆମ ସଂଘର ଜନ୍ମ ଉତ୍ସବ ତଥା ବାର୍ଷିକ ଉତ୍ସବ ପାଳନ କରାଯିବ ବୋଲି କହିଥିଲେ। ଉପସ୍ଥିତ ସମସ୍ତ ସାମ୍ବାଦିକ ଏହି ପ୍ରସ୍ତାବକୁ ସମର୍ଥନ କରିଥିବାବେଳେ ସଭାପତି ଶ୍ରୀ ମିଶ୍ର ସୂଚନା ଦେଇଥିଲେ ଯେ ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ଆସୋସିଏସନ କେବଳ ସାମ୍ବାଦିକତା କ୍ଷେତ୍ରରେ ସୀମିତ ନ ରହି ସମାଜର ହିତସାଧନ ପାଇଁ ସଦାସର୍ବଦା କାର୍ଯ୍ୟ କରିବ। ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ଆସୋସିଏସନର ଏକ ୱେବସାଇଟ ରହିଥିବା ବେଳେ ଖଣ୍ଡପଡ଼ା ଅଂଚଳର କୌଣସି ବ୍ୟକ୍ତି ସାମ୍ବାଦିକ ସଂଘର ସହାୟତା ଆବଶ୍ୟକ କଲେ, ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ଆସୋସିଏସନ ତରଫରୁ ସହାୟତା ଯୋଗାଇ ଦିଆଯିଵ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏଥି ସହିତ ସଂଘର ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମକୁ ସଂଘର ସଂପାଦକ ସରୋଜ କୁମର ଚୌଧୁରୀ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଗ୍ରାମ କେଶରୀ ଦେଓ, ଚିତ୍ତରଞ୍ଜନ ଦାସ, ମାନସ କୁମାର ସେଠୀ, ତପନ କୁମାର ଦାଶ, ଶିବ ନାରାୟଣ ଦାସ, ପ୍ରଭାତ କୁମାର ପଶାୟତ, ଶଙ୍କର୍ଷଣ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ସଭାପତି ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।