ଚଳିତ ବର୍ଷର ଘୋଷଯାତ୍ରା ଓ ଆଦ୍ୟସେବକଙ୍କ ରାଜଗାଦି ଅଳଙ୍କୃତ କରିବାର ୫୦ ବର୍ଷ …

ଠିକ  ୫୦ ବର୍ଷ ପୂର୍ବେ ପୁରୀ  ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ରାଜଗାଦିରେ ଅଭିଷିକ୍ତ ହୋଇଥିଲେ ।

 ୨୦୨୦ ଜୁଲାଇ ୭ ତାରିଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ରାଜାଭିଷେକ ବା ସିଂହାସନ ଆରୋହଣକୁ ୫୦ବର୍ଷ ପୂରିଛି । ପାଖାପାଖି ଦୁଇଶହରୁ ଅଧିକ ବର୍ଷ ପରେ କୌଣସି ଗଜପତି ମହାରାଜା  ୫୦ବର୍ଷ ଧରି ମହାପ୍ରଭୁଙ୍କ ସେବା ଓ ଶାସନରେ ରହିବାର ଏଭଳି ସୌଭାଗ୍ୟ ଓ  ଗୌରବ ଅର୍ଜନ କରିଛନ୍ତି ।

 ଇତିହାସ ପୃଷ୍ଠାକୁ ଦେଖିଲେ 1568 ଠାରୁ ଆଜି ପର୍ଯ୍ୟନ୍ତ ମହାରାଜା ଦିବ୍ୟସିଂହ ଦେବଙ୍କୁ ଙ୍କୁ ମିଶାଇ ପାଖାପାଖି ୧୯ ଜଣ ଗଜପତି ଇତିମଧ୍ୟରେ ମହାପ୍ରଭୁଙ୍କ ସେବା କରି ସାରିଛନ୍ତି ।

 ଗଜପତି ବୀର କିଶୋର ଦେବ ( ପ୍ରଥମ) ୧୭୩୬ ମସିହାରେ ସିଂହାସନ ଆରୋହଣ କରିଥିଲେ ଓ ସେ ପ୍ରାୟ ୧୭୯୩ ମସିହା ପର୍ଯ୍ୟନ୍ତ ଦାୟିତ୍ବରେ ଥିଲେ । ସେତେବେଳେ ଅବଶ୍ୟ ରାଜାରାଜୁଡ଼ା ଶାସନ ଥିଲା ।

ତେବେ  ସ୍ବାଧୀନତା ପରବର୍ତୀ ଓଡ଼ିଶାରେ ପୁରୀ ଗଜପତି ମହାରାଜାଙ୍କର ଶାସନ ବ୍ୟବସ୍ଥାରେ କୌଣସି ଭୂମିକା ନାହିଁ । ବର୍ତମାନ  ଗଜପତି ମହାରାଜା  ଶ୍ରୀମନ୍ଦିର ପରିଚାଳନା କମିଟିର କେବଳ ସ୍ଥାୟୀ ସଭାପତି ଅଛନ୍ତି । ତେବେ ଗଜପତିଙ୍କର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ପୂର୍ବଭଳି ଅକ୍ଷତ ରହିଛି। ଗଜପତିଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର    ଆଦ୍ୟସେବକ ଓ ଚଳନ୍ତି ପ୍ରତିମା ବୋଲି ମଧ୍ୟ କୁହାଯାଏ ।  

ତଥ୍ୟ ଅନୁସାରେ ୧୯୭୦ ମସିହାରେ ଗଜପତି ବୀର କିଶୋର ଦେବ (ତୃତୀୟ)ଙ୍କ ଦେହାନ୍ତ ପରେ ଦିବ୍ୟସିଂହ ଦେବଙ୍କର ରାଜାଭିଷେକ ହୋଇଥିଲା । ପାରମ୍ପରିକ ପ୍ରଥା ଅନୁସାରେ, ଜୁଲାଇ ୭ ତାରିଖ ସନ୍ଧ୍ୟାରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ କୋଳରେ ବସି ସେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ରାଜଗାଦିରେ ବସିବା ପରେ ରାଜ ପରମ୍ପରା ଅନୁସାରେ ଶ୍ରୀନଅରରୁ ଗଜପତିଙ୍କର ପ୍ରଥମ ଆଦେଶ ଥିଲା, ପିତା ବୀରକିଶୋର ଦେବ  ଦାହ ସଂସ୍କାର କର୍ମ କରିବା । ସେଦିନଟି ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା, କାରଣ ତିନିରଥ ବଡ଼ଦାଣ୍ଡରେ ଥିଲେ । କିନ୍ତୁ ରାଜ ପରମ୍ପରା ଅନୁସାରେ, ଗଜପତି ମହାରାଜାଙ୍କୁ ଜାତକର୍ମରେ ବା ମୃତ କର୍ମରେ ଅଶୌଚ ଲାଗିନଥାଏ ।

ତେବେ ସେହିବର୍ଷ ଗଜପତିଙ୍କର ବ୍ରତୋପନୟନ ହୋଇନଥିବା କାରଣରୁ ସେ ମହାପ୍ରଭୁଙ୍କର ଆଦ୍ୟସେବକ ଭାବେ ସେବା କରିପାରିନଥିଲେ । ୧୯୭୦ ନଭେମ୍ବର ୨୯ ତାରିଖ ଦିନ ତାଙ୍କର ବ୍ରତପୋନୟନ ହୋଇଥିଲା ଓ ପରମ୍ପରା ଅନୁସାରେ ରାଜଗୁରୁଙ୍କ ଦ୍ବାରା ଶ୍ରୀମନ୍ଦିରରେ ଶାଢିବନ୍ଧା ନୀତି ସଂପନ୍ନ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ଗଜପତିଙ୍କର ପୂର୍ବନାମ ଥିଲା କାମାର୍ଣ୍ଣବ ଦେବ ।

 ସେ ୧୯୫୩ ମସିହା ଫେବ୍ରୁଆରି ୬ ତାରିଖ ଦିନ ଜନ୍ମ ନେଇଥିଲେ । ୧୭ବର୍ଷ ବୟସରେ ତାଙ୍କର ରାଜାଭିଷେକ ହୋଇଥିଲା । ପୁରୀ କନଭେଣ୍ଟ ସ୍କୁଲରେ ୧୯୫୭ରୁ ୧୯୫୯ ମସିହା ଯାଏ ପଢିବା ପରେ ବର୍ତମାନର ଛତିଶଗଡ଼ସ୍ଥିତ ରାୟପୁର ରୟାଲ କଲେଜରେ ୧୯୬୮ଯାଏ ପଢ଼ିଥିଲେ । ପରବର୍ତୀ ସମୟରେ ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍ସ କଲେଜରେ ତିନିବର୍ଷ, ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏଲ୍‌ଏଲ୍‌ବି (୧୯୭୨-୭୫) ଓ ସେଠାରୁ ଆମେରିକାର ଚିକାଗୋରେ ଥିବା ସୁପ୍ରତିଷ୍ଠିତ ଆଇନ ଶିକ୍ଷାନୁଷ୍ଠାନ ନର୍ଥ ୱେଷ୍ଟର୍ଣ୍ଣ ୟୁନିଭରସିଟି ସ୍କୁଲ ଅଫ୍ ଲ’ରେ ଏଲ୍‌ଏଲ୍ଏମ୍ ଶିକ୍ଷାଲାଭ କରିଥିଲେ ଗଜପତି ।

ସବୁ ତୁଚ୍ଛ ଓ ମହାପ୍ରଭୁଙ୍କ ସେବା ହିଁ ମୁଖ୍ୟ’’ ଭାବେ ଗ୍ରହଣ କରିନେଇଛନ୍ତି ଗଜପତି ମହାରାଜ ।  ଜଗନ୍ନାଥ ସଂସ୍କୃତିର ପ୍ରସାର ଏବଂ ଓଡିଶାବାସୀଙ୍କର ସ୍ୱାଭିମାନର ସୁରକ୍ଷାପାଇଁ ସେ ସମର୍ପିତ !