ଅନୁଭବ ବାବୁ କାହିଁକି ଏତେ ରାଗ ?

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କର ଓଟିଭି ସାମ୍ବାଦିକଙ୍କ ସହ ବଚସା, ତାଙ୍କୁ ଦୁର୍ବ୍ୟବହାର ଏବଂ ତାଙ୍କୁ କ୍ୟାମେରା ଆଗକୁ ଟାଣିଆଣିବାର ଦୃଶ୍ୟକୁ ନେଇ ଚାଲିଛି ଅନେକ ଚର୍ଚ୍ଚା | ସାମ୍ବାଦିକମାନଙ୍କୁ ଏହା ବେଶୀ ବିଚଳିତ କରୁଛି | ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ସାମ୍ବାଦିକମାନେ ଏହାର ପ୍ରତିବାଦ କରିଛନ୍ତି ।

ଗତ ୬ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବସମ୍ମୁଖରେ ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ସାଂସଦ ଅନୁଭବ ମହାନ୍ତି ଦୁର୍ବ୍ୟବହାର କରିଥିଲେ । କେବଳ ଦୁର୍ବ୍ୟବହାର ନୁହେଁ, ନ୍ୟୁଜ୍କୁ କଦର୍ଥ କରୁଛ ବୋଲି ଆକ୍ଷେପ କରିବା ସହ ତାଚ୍ଛଲ୍ୟ କରିଥିଲେ। ଏଥିସହ ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଭିଡ଼ି ନେବା ସହ ତାଳିମାରି ଅପମାନିତ କରିବାକୁ ବି ପଛାଇ ନଥିଲେ ।

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଜେଡି ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ କେନ୍ଦ୍ରାପଡ଼ା ଥାନାରେ ମାମଲା ରୁଜୁ ହୋଇଛି। OTV ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ଏତଲା ଆଧାରରେ ଆଇପିସି ଦଫା ୩୪୧, ୩୨୩, ୨୯୪, ୫୦୦, ୫୦୬ରେ ପୁଲିସ୍ ମାମଲା ରୁଜୁ କରିଛି।

ତେବେ ରାଜ୍ୟବ୍ୟାପୀ ସାମ୍ବାଦିକ ସଂଗଠନ ପକ୍ଷରୁ ସାଂସଦଙ୍କ ବ୍ୟବହାର ବିରୋଧରେ ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଛି।

ଜଣେ ଟିଭି ସାମ୍ବାଦିକ ଭାବରେ ନେତାମାନଙ୍କୁ କଟୁ ସମାଲୋଚନା ତଥା କଟାକ୍ଷ କରିବା ଏବଂ ପ୍ରତିବଦଳରେ ନେତାଙ୍କ କଟାକ୍ଷ ମଧ୍ୟ ଶୁଣିବା କିଛି ନୂଆ କଥା ନୁହେଁ । ଏହା ବୃତିଗତ ଧର୍ମ |

କିନ୍ତୁ ବିଚଳିତ ହେଲା ପରି କଥା ହେଉଛି ଜଣକ ବିନା ସମ୍ମତିରେ ଆଉ ଜଣକୁ କ୍ୟାମେରା ସାମ୍ନାକୁ ଟାଣି ଆଣିବା ଅପରାଧ । ଜଣଙ୍କର ଶରୀରକୁ ବିନା ଅନୁମତିରେ ଆଉ କିଏ ଛୁଇଁବା, ଏକ ବଡ଼ ଅପରାଧ । କଥା କଟାକଟି ଭିତରେ ଯଦି ମାମଲାଟି ସରିଥାନ୍ତା ତାହେଲେ ଅନୁଭବଙ୍କୁ ଦୋଷ ଦିଆଯାଇ ପାରିନଥାନ୍ତା ତେବେ ସାମ୍ବାଦିକଙ୍କୁ କ୍ୟାମେରା ଆଗକୁ ଟାଣି ଆଣିବା ପାଇଁ ଆପଣ କିଏ ? କେବେ ସାମ୍ବାଦିକ ଜୋର ଜବରଦସ୍ତି ନେତାଙ୍କୁ କ୍ୟାମେରା ଆଗକୁ ଟାଣି ଆଣି ଏଭଳି କଟାକ୍ଷ କରିଛନ୍ତି କି ?

ତେଣୁ ଅନୁଭବଙ୍କ ଅପରାଧଟି ଶାରୀରିକ ତଥା ମାନସିକ କାରଣରୁ ବିଚାର କରାଯାଇପାରେ । ଆପଣ ଜଣକୁ ଶରୀରିକ ତଥା ମାନସିକ ସ୍ତରରେ ଆଘାତ ଦେଇଛନ୍ତି, ଯିଏ ନିଜ ବୃତିର ଧର୍ମ ପାଳନ କରୁଛନ୍ତି ।

ଅନୁଭବ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଳଢ଼ିବାରେ ଅସୁବିଧା ନାହିଁ । ମଝିରେ ଥିବା ସାମ୍ବାଦିକଙ୍କୁ ଏଭଳି ଅପମାନିତ କରୁଛନ୍ତି କାହିଁକି? ଗଣମାଧ୍ୟମ ବିରୋଧରେ ଅନୁଭବଙ୍କ କ୍ଷୋଭ ଥାଇପାରେ । କିନ୍ତୁ ଏଭଳି ଆଚରଣ ପାଇଁ ସାଂସଦ ତଥା ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ କିଏ ଅଧିକାର ଦେଲା ?