କଷ୍ଟରେ ଜିତିଲା ଭାରତ

ଲୌଡରହିଲ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ଭାରତ ୪ ୱିକେଟ୍‌ରେ ଜିତି ନେଇଛି। ବିଶ୍ବକପ୍ ପରେ ଉଭୟ ଦଳ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଶନିବାର ୯୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାକୁ ଭାରତ ୧୭.୨ ଓଭରରେ ୬ ୱିକେଟ୍ ହରାଇ ହାସଲ କରି ନେଇଥିଲା। ତା’ ସହ ତିନି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଥିଲା। ଶୃଙ୍ଖଳାର ଏହି ଆମେରିକୀୟ ଚରଣରେ ଭାରତୀୟ ବୋଲର ଆଜି ୱେଷ୍ଟଇଣ୍ଡିଜ୍‌କୁ ପୂରା ଘାଇଲା କରି ଦେଇଥିଲେ। ଫଳରେ ୱେଷ୍ଟଇଣ୍ଡିଜ୍ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୯୫ ରନ୍ କରିଥିଲା। ଜବାବରେ ଭାରତ ମଧ୍ୟ ଦକ୍ଷତା ମୁତାବକ ବ୍ୟାଟିଂ କରି ପାରି ନଥିଲା। ତେବେ ଛୋଟ ବିଜୟ ଲକ୍ଷ୍ୟ ହୋଇଥିବାରୁ କଷ୍ଟେମ‌ଷ୍ଟେ ୨.୪ ଓଭର ପୂର୍ବରୁ ଏହାକୁ ହାସଲ କରି ନେଇଥିଲା। ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ପଦାର୍ପଣରେ ନଭଦୀପ ସାଇନି (୪-୧-୧୭-୩) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ରବିବାର ଖେଳାଯିବ। ସୂଚନାଯୋଗ୍ୟ ଯେ ଏହି ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ଆମେରିକାରେ ଖେଳାଯିବ। ତୃତୀୟ ତଥା ‌ଶେଷ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍‌ର ଗୟନାରେ ମଙ୍ଗଳବାର ଅନୁଷ୍ଠିତ ହେବ।

ରୋହିତଙ୍କ ପାଇଁ ବର୍ତିଲା
ୱେଷ୍ଟଇଣ୍ଡିଜ୍ ଭଳି ଭାରତ ମଧ୍ୟ ଦୁର୍ବଳ ଆରମ୍ଭ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ମାତ୍ର ୧ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଆହତ ହୋଇ ମାତ୍ର ଦୁଇଟି ମ୍ୟାଚ୍ ପରେ ବିଶ୍ବକପ୍‌ରୁ ବାଦ୍ ପଡ଼ିଥିବା ଧାୱନ ପୁରୁଣା ଲୟ ପାଇବାକୁ ସଂଘର୍ଷ କରିଥିଲେ। ୭ ବଲ୍ ଖେଳି ମାତ୍ର ଗୋଟିଏ ରନ୍ କରିଥିଲେ। ତାଙ୍କୁ ସେଲଡନ୍ କଟ୍ରେଲ ଦ୍ବିତୀୟ ଓଭରର ଶେଷ ବଲ୍‌ରେ ଏଲବିଡବ୍ଲ୍ୟୁ କରି ନେଇଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୨୪ ରନ୍ , ୨୫ ବଲ୍, ୨ ଚୌକା, ୨ ଛକା) କେତେକ ଦର୍ଶନୀୟ ସଟ୍ ଖେଳିଥିଲେ ମଧ୍ୟ ସୁନୀଲ ନରିନଙ୍କ ସ୍ପିନ୍ ଜାଲରେ ଫଶି ନିଜ ୱିକେଟ୍ ହରାଇଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ଉତ୍ତରାଧିକାରୀ ଋଷବ ପନ୍ତ (୦) ପୁଣି ଥରେ ଦାୟିତ୍ବହୀନ ସଟ୍ ଖେଳି ଖାତା ଖୋଲିବା ପୂର୍ବରୁ ପ୍ରଥମ ବଲରେ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ବିରାଟ ‌କୋହଲି (୧୯) ଜମି ଆସୁଥିଲା ବେଳେ କଟ୍ରେଲଙ୍କ ବାଉନ୍ସରେ ଚକମା ଖାଇ ପୋଲାର୍ଡଙ୍କୁ କ୍ୟାଚ୍ ଦେଇଥିଲେ। ମନୀଷ ପଣ୍ଡେ (୧୯) ଓ କ୍ରୁନାଲ ପାଣ୍ଡ୍ୟା (୧୨) କିମୋ ପଲଙ୍କ ଦ୍ବାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ୮୮ ରନ୍‌ରେ ୬ ୱିକେଟ୍ ହରାଇଥିଲା ବେଳେ ରବୀନ୍ଦ୍ର ଜାଦେଜା (୧୦* ରନ୍, ୯ ବଲ୍) ଓ ୱାସିଂଟନ୍ ସୁନ୍ଦର (୮* ରନ୍, ୫ ବଲ୍, ୧ ଚୌକା) ଭାରତକୁ ବିଜୟୀ କରାଇଥିଲେ।