ଓଡ଼ିଶା ପୁଲିସକୁ ବଡ଼ ସଫଳତା, କନ୍ଧମାଳରେ ମାଓବାଦୀ ଶିବିର ଧ୍ୱଂସ

ଓଡିଶା ପୋଲିସକୁ ମିଳିଛି ଏକ ବଡ଼ ସଫଳତା | କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ସମରବନ୍ଧା ଜଙ୍ଗଲ ଅଞ୍ଚଳରେ ଚାଲିଥିବା ଏକ ମାଓବାଦୀ ଶିବିରକୁ ଧ୍ବଂସ କରିଦେଇଛି ଓଡିଶା ପୋଲିସ |

ପୋଲିସ ଡିଜିପି ଅଭୟଙ୍କ ନିର୍ଦ୍ଦେଶ ତଥା କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗୀତା ସିଂହଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଅପରେସନ୍ ଗୃପ (ଏସଓଜି) କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ସମରବନ୍ଧା ଜଙ୍ଗଲ ଅଞ୍ଚଳରେ ଚାଲିଥିବା ଏକ ମାଓବାଦୀ ଶିବିରକୁ ଧ୍ବଂସ କରିଦେଇଛି ।

ଶିବିର ଚଢ଼ାଉ ସମୟରେ  ଏସଓଜି ଟିମ୍ କ୍ୟାମ୍ପରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିବାର ସୂଚନା ମିଳିଛି । ଲଦାପଦର ରିଜର୍ଭ ଜଙ୍ଗଲ ପରିସରରେ ସ୍ଥାପିତ ଶିବିରରେ ୫ଜଣ ମହିଳା ମାଓବାଦୀଙ୍କ ସମେତ ପ୍ରାୟ ୧୫-୨୯ ଜଣ ପୁରୁଷ  ମାଓବାଦୀ ଉପସ୍ଥିତ ଥିବା ନେଇ ୩ ଦିନ ତଳେ ପୋଲିସକୁ ସୁରାକ ମିଳିଥିଲା ।

ଏସଓଜି ଟିମ୍ ସେମାନଙ୍କୁ ଧରିବା ପାଇଁ ଜୁନ୍ ୨୯ ତାରିଖରେ ଜଙ୍ଗଲରେ ଏହି ସ୍ୱତନ୍ତ୍ର  ଅପରେସନ୍ ଆରମ୍ଭ କରିଥିଲେ । ତେବେ ସମସ୍ତ ମାଓବାଦୀମାନେ ଘଞ୍ଚ ଜଙ୍ଗଲରେ ଘଟଣାସ୍ଥଳରୁ ଖସିଯାଇଥିବା ଜଣାପଡିଛି ।

ଘଟଣାସ୍ଥଳରୁ ପାରାମିଲିଟାରୀ ୟୁନିଟ୍ ୟୁରିଆ, ବନ୍ଧୁକ ଏବଂ ଅନ୍ୟାନ୍ୟ ବିସ୍ଫୋରକ ପଦାର୍ଥ ସହିତ ୧୫ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଛି। ସର୍ଚ୍ଚ ଅପରେସନକୁ ଜୋରଦାର କରି ଏସଓଜି ଟିମ୍ ୨୮ଟି ଡିଟୋନେଟର, ମଲ୍ଟିମିଟର, ବ୍ୟାଗ, ବ୍ଲାକ୍ କ୍ୟାପ୍, ରିଚାର୍ଜ ଯୋଗ୍ୟ ବ୍ୟାଟେରୀ, କ୍ୟାମ୍ପ ଉପକରଣ, ମାଓବାଦୀ ବ୍ୟାନର, ପୋଷ୍ଟର ଏବଂ ସାହିତ୍ୟ ଉଦ୍ଧାର କରିଛନ୍ତି । 

ଏବେ ମଧ୍ୟ  ସେହି ଅଞ୍ଚଳରେ କମ୍ବିଂ ଅପରେସନ୍ ଜୋରଦାର୍ ରହିଛି ବୋଲି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ଗୀତା ସିଂହ ସୂଚନା ଦେଇଛନ୍ତି।  ପ୍ରତୀକ ଗୀତା ସିଂ କାର୍ଯ୍ୟ ରେ ଯୋଗ ଦେବା ଦିନଠାରୁ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ମାଓ କାର୍ଯ୍ୟ କଳାପ ଉପରେ ଏକ ପ୍ରକାର ରୋକ ଲାଗିଛି । ଅପରାଧ ନିୟନ୍ତ୍ରଣରେ ବେଶ ପାରଙ୍ଗମ ପ୍ରତୀକ ଗୀତା ସିଂ ଖୁବ କମ ଦିନ ମଧ୍ୟରେ ଜିଲ୍ଲାରେ ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ।