କାରିବିୟନ୍ ପ୍ରିମିୟର ଲିଗ୍ ପାଇଁ ସନ୍ନ୍ୟାସ ନେବେ ତାମ୍ବେ

ବିଦେଶୀ ପ୍ରିମିୟର ଲିଗ୍‌ରେ ଖେଳିବା ଖେଳାଳିଙ୍କ ପାଇଁ ସହଜ ନୁହେଁ, ଏଥିପାଇଁ ଖେଳାଳିଙ୍କୁ ସନ୍ନ୍ୟାସ ନେବାକୁ ପଡ଼ିଥାଏ । ଏପରି ଜଣେ ଭାରତୀୟ କ୍ରିକେଟର ତଥା ସ୍ପିନର୍ ପ୍ରବୀଣ ତାମ୍ବେ କାରିବିୟନ୍ ପ୍ରିମିୟର ଲିଗ୍ (ସିପିଏଲ) ପାଇଁ ସନ୍ନ୍ୟାସ ନେବେ ବୋଲି ଏକ ରିପୋର୍ଟରୁ ଜଣାପଡିଛି ।

ଆଇପିଏଲ୍‌ରେ ଡେବ୍ୟୁ କରିଥିବା ମୁମ୍ବାଇର ଏହି ଅନୁଭବୀ ଲେଗ୍ ସ୍ପିନର ପ୍ରବୀଣ ତାମ୍ବେ (୪୮) କାରିବିୟନ୍ ପ୍ରିମିୟର ଲିଗ୍‌ରେ ଖେଳିବା ନେଇ ନିଜ ନାମକୁ ସାମିଲ୍ କରିବା ନିମନ୍ତେ ଏକ ପତ୍ର ଦାଖଲ କରିଛନ୍ତି । ଏଥିପାଇଁ ତାମ୍ବେଙ୍କୁ ସନ୍ନ୍ୟାସ ନେବାକୁ ପଡ଼ିବ । ଯେ ପର୍ଯ୍ୟନ୍ତ ବିସିସିଆଇ ଅନୁମତି ଦେଇନାହାନ୍ତି ଏବଂ ଘରୋଇ କ୍ରିକେଟ ମ୍ୟାଚରୁ ସନ୍ନ୍ୟାସ ନେଇନାହାନ୍ତି ସେ ପର୍ଯ୍ୟନ୍ତ ବିଦେଶୀ ପ୍ରିମିୟର ଲିଗ୍‌ରେ ଖେଳିପାରିବେ ନାହିଁ ବୋଲି ସେ କହିଛନ୍ତି ।

ଚଳିତବର୍ଷ କୋଲ୍‌କାତା ନାଇଟ୍ ରାଇଡରସ (କେକେଆର୍‌) ପାଇଁ ଆଇପିଏଲ୍‌ରେ ପ୍ରବୀଣ ତାମ୍ବେଙ୍କୁ ଖେଳିବା ପାଇଁ ଅନୁମତି ବିସିସିଆଇ ଦେଇନାହିଁ, କାରଣ ସେ ବିନା ଅନୁମତିରେ ଆବୁଧାବୀରେ ଟି୧୦ ଲିଗ୍‌ରେ ଖେଳିଥିଲେ । ବୋର୍ଡର ନିୟମାନୁସାରେ କୌଣସି ଖେଳାଳିଙ୍କୁ ଅନ୍ୟ ଦେଶରେ ଘରୋଇ ଟି୨୦ ଖେଳିବା ନିମନ୍ତେ ଅନୁମତି ମିଳିଥିବ ଏବଂ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସମେତ ପ୍ରତ୍ୟେକ ଘରୋଇ କ୍ରିକେଟ ଖେଳରୁ ସନ୍ନ୍ୟାସ ନେଇଥିବେ ତେବେ ସେ ବିଦେଶୀ ଲିଗ୍ ମ୍ୟାଚରେ ଖେଳିପାରିବେ । ପୂର୍ବରୁ ପୂର୍ବତନ ଖେଳାଳୀ ଯୁବରାଜ ସିଂ ମଧ୍ୟ କାନାଡାରେ ଟି୨୦ ଲିଗ୍‌ରେ ଖେଳିବା ପୂର୍ବରୁ ସନ୍ନ୍ୟାସ ନେଇଥିଲେ । ୪୮ ବର୍ଷୀୟ ତାମ୍ବେ ମୋଟ ୩୩ଟି ଆଇପିଏଲ୍ ମ୍ୟାଚ୍‌ରେ ୨୮ଟି ୱିକେଟ୍ ନେବାରେ ସଫଳ ହୋଇପାରିଛନ୍ତି ।