ସୋମ୍ୟବାବୁଙ୍କ ସ୍ୱାସ୍ଥ୍ୟକୁ ନେଇ ସିଦ୍ଧାର୍ଥଙ୍କ ଉଦବେଗ…

କେମିତି ଅଛନ୍ତି ସୋମ୍ୟବାବୁ ? ସୁସ୍ଥ ଅଛନ୍ତି ତ ସେ ? ସେ ଏବେ କୋଉଠି ? ଏଭଳି ପ୍ରଶ୍ନ ଏବେ ଖଣ୍ଡପଡାବାସୀଙ୍କ ମନରେ ସୃଷ୍ଟି ହୋଇଥିବାବେଳେ ମାନ୍ୟବର ବିଧାୟକଙ୍କ  ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ, ବିଜେପି ନେତା ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ |

ରାଜନୈତିକ ଶତ୍ରୁତାକୁ ପଛରେ ପକାଇ ସୋମ୍ୟବାବୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଚିନ୍ତିତ ହୋଇପଡିଛନ୍ତି ଖଣ୍ଡପଡା ଯୁବରାଜ | ଚିନ୍ତିତ ହେବା ବି ସ୍ୱାଭାବିକ କାରଣ ଗତ ଏକମାସରୁ ଉର୍ଦ୍ଧ୍ବ ସମୟ ହେବ ସୋମ୍ୟବାବୁଙ୍କର କିଛି ଖୋଜ ଖବର ନାହିଁ | ଗତ ଅଗଷ୍ଟ ମାସ ୧୧ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିବା ନେଇ ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ | ତା ପରଠାରୁ ସେ ଆଉ ଯୋଗାଯୋଗରେ ନାହାଁନ୍ତି | ଖଣ୍ଡପଡା ନିର୍ବାଚନମଣ୍ଡଳୀର ଜନସାଧାରଣ ନା ତାଙ୍କର କୌଣସି ଖବର ପାଉଛନ୍ତି, ନା ତାଙ୍କୁ ଦେଖିବାକୁ ପାଉଛନ୍ତି | ନିଜ ଜନସାଧାରଣ ଏଭଳି ଚିନ୍ତିତ ହେବା ସହ ଯୁବରାଜ ସିଦ୍ଧାର୍ଥ ମଧ୍ୟ ରାଜନୈତିକ ଶତ୍ରୁତା ଭୁଲି ମହତ ପଣିଆ ଦେଖାଇଛନ୍ତି |  ସୋମ୍ୟବାବୁଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିବା ପାଇଁ ଚାହିଁଛନ୍ତି |

ସୋମ୍ୟବାବୁ କରୋନା ସଂକ୍ରମିତ ହେବା ଜାଣିବା ପରେ ପ୍ରଥମେ ସିଦ୍ଧାର୍ଥ ହିଁ ସାମାଜିକ ଗଣମାଧ୍ୟମ ଜରିଆରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ଏପରିକି ୧୧ ତାରିଖ ଦିନ ସିଦ୍ଧାର୍ଥ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ନିମନ୍ତେ ଫୋନ କରିଥିଲେ ମଧ୍ୟ ସୋମ୍ୟବାବୁ ତାଙ୍କ ଫୋନ ଉଠାଇ ନଥିଲେ କିମ୍ୱା ହ୍ୱାଟ୍ସଅପରେ ମେସେଜ ଦେଇଥିଲେ ମଧ୍ୟ କୌଣସି ଉତ୍ତର ଦେଇ ନଥିଲେ |

ମିଳିଥିବା ସୂଚନା ଅନୁସାରେ ସୋମ୍ୟବାବୁ ଅଗଷ୍ଟ ୧୧ ତାରିଖରେ କରୋନା ସଂକ୍ରମିତ ହେବାର ଜଣାପଡିଥିଲା, ୧୪ ତାରିଖରେ ସେ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଏବଂ ଅଗଷ୍ଟ ପ୍ରାୟ ଏକ ସପ୍ତାହ ପରେ ସେ ହସ୍ପିଟାଲରୁ ଡିସ୍ଚାର୍ଜ ମଧ୍ୟ ହୋଇସାରିଛନ୍ତି | 

ତେବେ ଏହାରି ଭିତରେ ଏକମାସ ବିତିବାକୁ ବସିଥିବା ବେଳେ କାହିଁକି ଖଣ୍ଡପଡା ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକଙ୍କର କିଛି ଖୋଜ ଖବର ନାହିଁ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି ସିଦ୍ଧାର୍ଥ | ଗତମାସ ଖଣ୍ଡପଡାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କରୋନା ମହାମାରୀକୁ ନେଇ ଏନଏସି ରେ ଗତ ୧୫ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି | ତେବେ ଏଭଳି ପରିସ୍ଥିତିରେ ନିଜ ବିଧାୟକଙ୍କୁ ପାଖରେ ନପାଇ ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି ଖଣ୍ଡପଡା ବାସୀ | ତେଣୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜଣାଇବା ପାଇଁ ବିଧାୟକଙ୍କ ଅଫିସକୁ ଅନୁରୋଧ କରିଛନ୍ତି ସିଦ୍ଧାର୍ଥ |