ଛଦ୍ମବେଶୀ ପ୍ରାନ୍‌


ଚିହ୍ନନ୍ତୁ ଏହି ମହିଳା ଜଣଙ୍କୁ । ଭଲ କରି ଦେଖନ୍ତୁ ଏହି ଫଟୋଟିକୁ । ହିନ୍ଦୀ ଚଳଚ୍ଚିତ୍ର ଜଗତ ସହିତ ଇଏ ବେଶ୍ ଭଲ ଭାବେ ଜଡିତ । ବଲିଉଡ୍‌ରେ ବେଶ କିଛି ବର୍ଷ ଧରି ଇଏ ରାଜ କରିଛନ୍ତି । ତାଙ୍କ ଅଭିନୟର ଜାଦୁରେ ସିନେ ପ୍ରେମୀ ବେଶ ବିମୋହିତ ହୋଇଛନ୍ତି । ତାଙ୍କର ଫଟୋଟିକୁ ଅଭିନେତା ଋଷି କପୁର ଟ୍ୱିଟ୍ କରିଛନ୍ତି । ଋଷି ପ୍ରଶ୍ନ କରିଛନ୍ତି ଚିହ୍ନନ୍ତୁ ଇଏ କିଏ ? ଋଷିଙ୍କ ଟ୍ୱିଟ୍‌ର ଜବାବ ଦେଇ ଅନେକ ତାଙ୍କୁ ପୃଥ୍ୱୀରାଜ କପୁରଙ୍କ ପତ୍ନୀ ଅର୍ଥାତ୍ ଋଷି କପୁରଙ୍କ ଜେଜେ ମା’ ରାମସରନୀ ମେହେରା କପୁର ବୋଲି ଅନ୍ଦାଜ କରି କହିଥିବା ବେଳେ କେତେକ ଜାଣିପାରି ନାହାନ୍ତି । ଋଷି ତାଙ୍କ ଟ୍ୱିଟ୍‌ରେ କହିଛନ୍ତି ଏହା କୌଣସି ଚଳଚ୍ଚିତ୍ର ଲାଗି ନୁହେଁ ବରଂ ତାଙ୍କର ପାରିବାରିକ ଜୋକ୍ ।


ଶେଷରେ ସମସ୍ତଙ୍କର ସନ୍ଦେହକୁ ଦୁର କରି ଫଟୋରେ ଥିବା ପ୍ରକୃତ ବ୍ୟକ୍ତିଙ୍କ ସମ୍ପର୍କରେ ଖୁଲାସା କରିଛନ୍ତି ଋଷି କପୁର । ଋଷିଙ୍କ ଟ୍ୱିଟ୍ ଅନୁଯାୟୀ ଇଏ କୌଣସି ମହିଳା ନୁହଁନ୍ତି, କୌଣସି ଅଭିନେତ୍ରୀ ନୁହଁନ୍ତି, ଋଷିଙ୍କ କୌଣସି ସମ୍ପର୍କୀୟା ମଧ୍ୟ ନୁହଁନ୍ତି । ଇଏ ଆଉ କେହି ନୁହଁନ୍ତି, ଇଏ ହେଉଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ସ୍ୱର୍ଗତ ପ୍ରାନ୍ ।
ଋଷି ତାଙ୍କୁ ପ୍ରାନ୍ ଅଙ୍କଲ୍ ବୋଲି ଅଭିହିତ କରି କହିଛନ୍ତି ଯେ ଛଦ୍ମବେଶ ଧାରଣ କରିବାରେ ବେଶ ମାହିର ଥିଲେ ପ୍ରାନ୍ । ଋଷି କେବଳ ଏତିକି ଖୁଲାସା କରିଥିବା ବେଳେ ପ୍ରାନ୍ କାହିଁକି ମହିଳା ରୂପ ଧାରଣ କରିଥିଲେ ସେ ନେଇ ଟ୍ୱିଟରରେ ବିସ୍ତୃତ ଭାବେ କୌଣସି ତଥ୍ୟ ରଖିନାହାନ୍ତି ।


ତେବେ ଟ୍ୱିଟର୍ ବ୍ୟବହାରକାରୀ ଏହାର ସତ୍ୟତା ଖୋଜି ବାହାର କରିଛନ୍ତି ଏବଂ ଋଷିଙ୍କ ଟ୍ୱିଟରର ଉତର ଦେଇ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ତଥ୍ୟ ଅନୁଯାୟୀ ସ୍ୱର୍ଗତ ପ୍ରାନ୍ ତାଙ୍କ ବଡ଼ ଭାଇ ବାହାଘରରେ ହିଁ ଏଭଳି ମହିଳା ଛଦ୍ମବେଶ ଧାରଣ କରିଥିଲେ । ନୂଆ କରି ବାହା ହୋଇ ଆସିଥିବା ତାଙ୍କ ଭାଉଜଙ୍କୁ ଚିଡାଇବା ପାଇଁ ସେ ଏଭଳି ବେଶ ଧାରଣ କରିଥିଲେ । ସେ ସମୟରେ ଅଭିବାହିତ ଥିବା ପ୍ରାନ୍ ତାଙ୍କ ଭାଉଜଙ୍କ ଆଗକୁ ନାରୀ ବେଶରେ ଆସି ସେ ତାଙ୍କର ଭାଇଙ୍କର ପୂର୍ବତନ ପ୍ରେମିକା ବୋଲି କହିଥିଲେ । ଏଭଳି କଥା ଶୁଣି ତାଙ୍କ ଭାଉଜ ଚକିତ ହୋଇଯାଇଥିଲେ । ଶେଷରେ ସବୁ କଥା ଖୁଲାସା କରିଥିଲେ ନିଜେ ପ୍ରାନ୍ । ଏହି ଫଟୋଟିକୁ ତାଙ୍କ ପୁଅ ସୁନୀଲ୍ ସିକନ୍ଦଙ୍କ ଠାରୁ ଋଷିଙ୍କୁ ମିଳିଥିବା ଜଣାପଡ଼ିଛି ।


ଏହି ବିଖ୍ୟାତ ଅଭିନେତା ପ୍ରାନ୍‌ଙ୍କ ସହ ଋଷି କପୁର ‘ବବି’, ‘ଅମର ଆକବର ଆନ୍ଥୋନୀ’, କର୍ଜ, ନସିବ, ବଡେ ଦିଲୱାଲା, ଦୁନିଆ, ଜେହେରିଲା ଇନ୍‌ସାନ୍‌, ଜିନ୍ଦା ଦିଲ୍ ଭଳି ଅନେକ ଚଳଚ୍ଚିତ୍ରରେ ଏକା ସାଙ୍ଗରେ କାମ କରିଛନ୍ତି । ସେହିପରି ଋଷି କପୁରଙ୍କ ବାପା ସ୍ୱର୍ଗତ ରାଜ କପୁର ମଧ୍ୟ ସ୍ୱର୍ଗତ ପ୍ରାନ୍‌ଙ୍କ ସହ ଛଲିଆ, ଆହ୍‌, ଦିଲ୍ ହି ତୋ ହୈ, ଜିସ୍ ଦେଶ ମେ ଗଙ୍ଗା ବେହେତି ହୈ ଭଳି ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି ।
୨୦୧୩ ମସିହାରେ ୯୩ ବର୍ଷ ବୟସରେ ପ୍ରାନ୍‌ଙ୍କର ମୃତ୍ୟୁ ଘଟିଥିଲା ।