ପରିବାରରେ ମେଣ୍ଟ : ରାଜନୀତିରେ ସବୁ ସମ୍ଭବ !

ବିଜେପି ଓ ବିଜେଡି ମଧ୍ୟରେ ଆସନ୍ତା ସାଧାରଣ ନିର୍ବାଚନରେ ରାଜନୈତିକ ମେଣ୍ଟ ହେବ କି ନାହିଁ ସେ ନେଇ ଅନେକ ଅଙ୍କ କଷା ଚାଲିଛି | ଏହି 2024 ନିର୍ବାଚନର ଯଥେଷ୍ଟ ପୂର୍ବରୁ ଅନେକ ରାଜନୈତିକ ପରିବାରରେ ମେଣ୍ଟ ସମ୍ପନ୍ନ ହୋଇଯାଇଛି |

ନିକଟରେ ବିଜେଡ଼ିରେ ଯୋଗଦେଇଥିବା ଅରବିନ୍ଦ ମହାପାତ୍ର ହେଉଛନ୍ତି ପାରିବାରିକମେଣ୍ଟର ସଦ୍ୟ ଉଦାହରଣ | ଅରବିନ୍ଦ ହେଉଛନ୍ତି ବର୍ଷିୟାନ୍ ରାଜନେତା ବିଜୟ ମହାପାତ୍ରଙ୍କ ପୁଅ |ଦିର୍ଘ 24 ବର୍ଷ ହେବ ବିଜେଡି ସହ ସମ୍ପର୍କ ତୁଟାଇ ଥିବା ବିଜୟଙ୍କ ପୁଅ ଏବେ ବିଜେଡି ଶିବିରରେ | କିନ୍ତୁ ବାପା ବିଜୟ ଏବେବି ବିଜେପି ରେ ଅଛନ୍ତି |ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅରବିନ୍ଦ ବିଜେଡିରେ ଯୋଗ ଦେବା ସମୟରେ ବାପା ବିଜୟ ମହାପାତ୍ରଙ୍କୁ ମଧ୍ୟ ପଠାଇବା ପାଇଁ କହିଛନ୍ତି ତେବେ ଏ ସମ୍ପର୍କରେ ବିଜୟ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି | କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି |ବାପା ବିଜେପିର ବରିଷ୍ଠ ନେତା ଆଉ ପୁଅ ବିଜେଡିରେ ନବାଗତ ନେତା | ତେଣୁ ତାଙ୍କ ପରିବାରରେ ବିଜେପି ବିଜେଡି ମେଣ୍ଟ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ |

ସେହିପରି ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ ହେଉଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡାଇଙ୍କ ଶଳା ଓ ରାଜ୍ଯ ସରକାରଙ୍କ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇଙ୍କ ମାମୁଁ|ଯଦିଓ ମେଣ୍ଟ ପାଇଁ ମନମୋହନ ରାଜି ନୁହଁନ୍ତି ତେବେ ତାଙ୍କ ପରିବାରରେ ବି ବିଜେପି ବିଜେଡି ମେଣ୍ଟ ର ଛାପ ରହିଛି|

କେବଳ ବିଜୟ ମହାପାତ୍ର କି ତାଙ୍କ ପୁଅ , କିମ୍ବା ମନମୋହନ କି ପ୍ରଫୁଲ୍ଲ ଓ ପ୍ରୀତି ରଞ୍ଜନ ନୁହଁନ୍ତି, ପରିବାରରେ ମେଣ୍ଟ ର ଆଉ ଏକ ଉଦାହରଣ ହେଉଛନ୍ତି ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ତାଙ୍କ ଭଉଣୀ ବିଜେଡି ନେତ୍ରୀ, ମିଶନ ଶକ୍ତିର ନିର୍ଦ୍ଦେଶିକା ତଥା ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର | ଅନେକ ଦିନରୁ ଭାଇ ଭଉଣୀ ବିଜେପି ଓ ବିଜେଡି ରେ ନିଜ ନିଜର କାର୍ଯ୍ୟ ତୁଲାଉଛନ୍ତି |ଯଦିଓ ଖୁବ୍ ସୂଚାରୁ ରୂପେ ସେମାନେ ସେମାନଙ୍କ ଦଳୀୟ କାର୍ଯ୍ୟ ସମ୍ପାଦନ କରୁଛନ୍ତି ତାଙ୍କର ବି ପାରିବାରିକ ମେଣ୍ଟ କହିଲେ ଅତ୍ୟୁକ୍ତି ହେବନାହିଁ |

ଆଉ ଗୋଟିଏ ମେଣ୍ଟ ପରିବାର ହେଉଛନ୍ତି ପଦମପୁର ର ବିଧାୟିକା ବର୍ଷା ସିଂ ବରିହା ଓ ତାଙ୍କ ଶଶୁର ବରିଷ୍ଠ ବିଜେପି ନେତା ରମା ରଞ୍ଜନ ବଳିୟାରସିଂହ | ପଦମପୁର ର ବିଧାୟକ ବିଜଯ ରଞ୍ଜନ ସିଂ ବରିହା ଙ୍କ ମୃତ୍ୟୁ ପରେ ଉପନିର୍ବାଚନ ରେ ବିଜେଡି ତାଙ୍କ ଝିଅ ବର୍ଷା ଙ୍କୁ ପ୍ରାର୍ଥୀ କରିଥିଲା |ନିର୍ବାଚନ ଜିତିବା ପରେ ବର୍ଷା ଏବେ ବିଜେଡି ବିଧାୟିକା ଆଉ ଶଶୁର ରମା ରଞ୍ଜନ ବଳିୟାରସିଂହ ବିଜେପି ର ବରିଷ୍ଠ ନେତା |

ତେଣୁ ବିଜେପି ବିଜେଡି ମେଣ୍ଟ ହେଲେ ଏହି ପରିବାର ଗୁଡିକରେ ଯେ କିଛି ଫରକ୍ ପଡିବନି ବରଂ ଉଭୟ ଦଳରେ ଥିବା ରାଜନେତା ଙ୍କ ପାଇଁ ଲାଭ ଦାୟକ ହେବ ବୋଲି ଚର୍ଚ୍ଚା |