ସମ୍ ରେ ବିରଳ ଅସ୍ତ୍ରୋପଚାର ନୂତନ ପଦ୍ଧତିରେ ବାହାର କରାଗଲା ସବ୍ମାନଡିବୁଲାର ଗ୍ରନ୍ଥି

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜନମାନେ ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଦୁଇଜଣ ରୋଗୀଙ୍କ ପାଟି ଭିତରୁ ସଫଳତାର ସହ ନୂତନ ପଦ୍ଧତିରେ ସବମାଣ୍ଡିବୁଲାର ଗ୍ରନ୍ଥିକୁ ବାହାର କରିଛନ୍ତି । ଏହା ଦ୍ୱାରା ରୋଗୀଙ୍କର ମୁହଁରେ କୌଣସି ପ୍ରକାର ସ୍ଥାୟୀ ଦାଗ ସୃଷ୍ଟି ହେବାରୁ ସେମାନେ ରକ୍ଷା ପାଇପାରିଛନ୍ତି ।

ସମ୍ ହସ୍ପିଟାଲର କର୍ଣ୍ଣ, ନାସା ଏବଂ ଗଳା ବିଭାଗର ସର୍ଜନମାନେ ନୂତନ ଏଣ୍ଡୋସ୍କୋପିକ ପଦ୍ଧତିରେ ଏହି ସବମାଣ୍ଡିବୁଲାର ଗ୍ରନ୍ଥିଟିକୁ ବାହାର କରିବାରେ ସଫଳ ହୋଇଥିବା ଇଏନଟି ଏବଂ ସ୍କଲବେସ ସର୍ଜରୀର ବିଶେଷଜ୍ଞ ଡା. ରାଧାମାଧବ ସାହୁ କହିଛନ୍ତି ।

ଏହି ଅଭିନବ ଅପରେସନ୍ ଓଡ଼ିଶାରେ ପ୍ରଥମ ଥର ପାଇଁ କରାଯାଇଥିବା ସୂଚନା ଦେଇ ଡଃ ସାହୁ କହିଛନ୍ତି ଯେ ଏହି ସବମାଣ୍ଡିବୁଲାର ଗ୍ରନ୍ଥିଟି ମଣିଷ ଶରୀରର ମାଢ଼ିର ତଳ ଭାଗରେ ରହିଥାଏ । ଏହି ଗ୍ରନ୍ଥିର ମୁଖ୍ୟ କାମ ହେଉଛି ପାଟିରେ ଲାଳ ସୃଷ୍ଟି କରିବା ଏବଂ ଏହାଦ୍ୱାରା ଖାଦ୍ୟକୁ ନରମ କରିବା ସହ ହଜମ କରିବାରେ ସାହାଯ୍ୟ କରିବା ।

ତେବେ ମୁହଁ ଏବଂ ଗ୍ରନ୍ଥିର ମଝିରେ ଥିବା ନଳୀରେ ଯଦି ପ୍ରତିବନ୍ଧକ ସୃଷ୍ଟି ହୋଇ ଲାଳ ବାହାରି ନ ପାରି ଥାଏ ତେବେ ଏହା ଜମାଟ ବାନ୍ଧିଯାଏ ଏବଂ ସଂକ୍ରମିତ ହୋଇଥାଏ । ଏହା ଦ୍ୱାରା ଗ୍ରନ୍ଥିଟି ଫୁଲି ଯାଇଥାଏ । ପୂର୍ବରୁ ଏହି ସବମାଣ୍ଡିବୁଲାର ଗ୍ରନ୍ଥିକୁ ଟ୍ରାନ୍ସ ସର୍ଭିକାଲ୍ ଆପ୍ରୋଚ୍ ଦ୍ୱାରା ବାହାର କରାଯାଉଥିଲା । ଯାହାଦ୍ୱାରା କି ମୁହଁରେ ଏକ ବଡ଼ କଟା ଦାଗ ସୃଷ୍ଟି ହୋଇଥାଏ ଏବଂ ଅନେକ ସମୟରେ ତଳ ଓଠ ଦୁର୍ବଳ ହୋଇଯାଏ ।

ତେବେ ନୂତନ ପଦ୍ଧତିରେ ସର୍ଜରୀ ଖୁବ୍ ସୁରକ୍ଷିତ ଏବଂ ଟ୍ରାନ୍ସ ସର୍ଭିକାଲ୍ ପଦ୍ଧତି ପ୍ରୟୋଗ ନ କରି ମଧ୍ୟ ଅପରେସନ୍ କରିହେବ । କେବଳ କିଛି ସ୍ୱତନ୍ତ୍ର ଅସ୍ତ୍ରୋପଚାର ସରଞ୍ଜାମ, ଏହା ସମ୍ପର୍କିତ ଜ୍ଞାନ ଏବଂ ସର୍ଜନଙ୍କ ଦକ୍ଷତା ଦ୍ୱାରା ହିଁ ଏହି ଏଣ୍ଡୋସ୍କୋପିକ ପଦ୍ଧତିରେ ସର୍ଜରୀ କରିହେବ ବୋଲି ଡଃ. ସାହୁ କହିଛନ୍ତି ।

ଅସ୍ତ୍ରୋପଚାର ସମୟରେ ମୁହଁର ଧମନୀ ଓ ଶିରାଗୁଡ଼ିକୁ ଯେପରି ଆଘାତ ନ ପହଂଚେ ସେ ବିଷୟରେ ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ ।

ଯେଉଁ ଦୁଇ ଜଣ ରୋଗୀଙ୍କର ଏହି ସର୍ଜରୀ କରାଯାଇଛି ସେମାନେ ଏବେ ସୁସ୍ଥ ଅଛନ୍ତି ଏବଂ ସେମାନଙ୍କର କୌଣସି ସମସ୍ୟା ନାହିଁ ବୋଲି ଡଃ ସାହୁ କହିଛନ୍ତି । ସେହିପରି ନୂତନ ପଦ୍ଧତିର ଏଣ୍ଡୋସ୍କୋପିକ୍ ସରଞ୍ଜାମ, ନୂଆ ସର୍ଜିକାଲ୍ ପଦ୍ଧତି ଏବଂ ସର୍ଜନଙ୍କ ଅଭିଜ୍ଞତା ଦ୍ୱାରା ହିଁ ଏହି ସବମାଣ୍ଡିବୁଲାର ଗ୍ରନ୍ଥିକୁ ଏଣ୍ଡୋସ୍କୋପିକ୍ ଟ୍ରାନ୍ସଓରାଲ୍ ପଦ୍ଧତିରେ କଢ଼ାଯାଇ ପାରିଲା ବୋଲି ଡଃ ସାହୁ କହିଛନ୍ତି ।