ଦୁଇ ମହାରାଜାଙ୍କ ସହ ଚାଲ ଖେଳୁଥିଲେ କମଲନାଥ । ଗୋଟି ଚଳାଇଦେଲେ ଜ୍ୟୋତିରାଦିତ୍ୟ

ପିତାଙ୍କ ଦେହାନ୍ତ ପରେ ହାତ ଧରିଥିଲେ, ପିତାଙ୍କ ଜନ୍ମ ଜୟନ୍ତୀରେ ହାତ ଛାଡିଲେ । ଦୀର୍ଘ 18 ବର୍ଷ ତଳେ ନିଜ ପିତା ମାଧବ ରାଓ ସିନ୍ଧିଆଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ପଥ ଅନୁସରଣ କରି କଂଗ୍ରେସର ହାତ ଧରିଥିଲେ ତାଙ୍କ ସୁପୁତ୍ର ଜ୍ୟୋତିରାଦିତ୍ୟ ସିନ୍ଧିଆ ।

ତେବେ 18 ବର୍ଷ ପରେ ପିତାଙ୍କ ଜନ୍ମତିଥିରେ କଂଗ୍ରେସର ହାତ ଛାଡିଛନ୍ତି ଜ୍ୟୋତିରାଦିତ୍ୟ । ଦୀର୍ଘ ଦିନ ହେବ ଦଳର କାର୍ଯ୍ୟକଳାପ ରେ ଅସନ୍ତୁଷ୍ଟ ଥିଲେ ଜ୍ୟୋତିରଦିତ୍ୟ । ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢିବା ସହ କମଲନାଥ ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ହିଁ ନାଖୁସ ଥିଲେ ସିନ୍ଧିଆଙ୍କ ସମର୍ଥକ ।

ତେବେ ପରିସ୍ଥିତି ବେଶୀ ଜଟିଳ ହୋଇଥିଲା ଯେତେବେଳେ କମଲନାଥ ଦୁଇ ମହାରାଜାଙ୍କ ମଧ୍ୟରେ ବିବାଦ ବଢାଇବାର ପ୍ରୟାସ ଆରମ୍ଭ କରିଥିଲେ । ଗୁନା ଲୋକସଭା ଆସନରୁ ସିନ୍ଧିଆ ରାଜପରିବାରର ମହାରାଜ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରାଘୋଗଡ଼ର ମହାରାଜ ଦିଗବିଜୟ ସିଂହ ଭୋପାଳ ଲୋକସଭା ଆସନରୁ 2019 ରେ ନିର୍ବାଚନ ହାରିଯିବା ପରେ ଦଳରେ କୋଣଠେସା ହୋଇଥିଲେ । ମୁଖ୍ୟମନ୍ତ୍ରୀତ ହୋଇପାରିନଥିଲେ ପିସିସି ସଭାପତି ପଦବୀ ବି ସିନ୍ଧିଆଙ୍କୁ ମିଳିନଥିଲା । ସେପଟେ ମୁଖମନ୍ତ୍ରୀ କମଲନାଥଙ୍କ ସହ ତାଙ୍କର ବିବାଦ ବଢ଼ିବାରେ ଲାଗିଥିଲା ।

କମଲନାଥ ବି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ଆରମ୍ଭ କରିଦେଇଥିଲେ ।

ରାଜ୍ୟସଭା ସଦସ୍ୟ ଥିବା ଦିଗି ରାଜା ପୁଣିଥରେ ରାଜ୍ୟ ସଭା ଦୌଡ଼ ରେ ଥିବା ବେଳେ ଜ୍ୟୋତିରଦିତ୍ୟ ବି ରାଜ୍ୟସଭା ପ୍ରତ୍ୟାଶୀ ଥିଲେ । ତେବେ ଦୁଇ ମହାରାଜଙ୍କ ଭିତରେ କଳି ଲଗାଇ ନିଜ ସମର୍ଥକଙ୍କୁ ରାଜ୍ୟସଭା ପଠାଇବାର ଚାଲ ଖେଳିବା ଆରମ୍ଭ କରିଦେଇଥିଲେ କମଲନାଥ । ଯାହାର ସୁରାଗ ପାଇ ଯାଇଥିଲେ ଜ୍ୟୋତିରଦିତ୍ୟ । ରାଜପରିବାରର ଦାୟାଦ ଚଳାଇଥିଲେ ଗୋଟି । ତାଙ୍କ ଗୋଟି ଚାଳନାରେ ଏବେ ମାଟି କାମୁଡ଼ିଛି ମଧ୍ୟପ୍ରଦେଶ କଂଗ୍ରେସ ।

ଜ୍ୟୋତିରଦିତ୍ୟ ବିଜେପି ରେ ଯୋଗ ଦେଇ ରାଜ୍ୟସଭା କୁ ଯିବେ । ଆଉ ମଧ୍ୟପ୍ରଦେଶ ଏବେ ପୁଣି ବିଜେପି ହାତକୁ ଯିବ । ନିଜ ପୁତୁରାଙ୍କ ଘର ବାହୁଡା଼ ପରେ ବେଶ ଆନନ୍ଦିତ ଦୁଇ ପିଉସୀ ବସୁନ୍ଧରା ରାଜେ ଓ ଯଶୋଧାରା ରାଜେ । ତେବେ ଆଗକୁ ବିଜେପି ରାଜନୀତି ରେ ଜ୍ୟୋତିରଦିତ୍ୟ କିଏ ଭୂମିକା ନେଉଛନ୍ତି ଦେଖିବାକୁ ବାକି ରହିଲା ।